ମୋବାଇଲ ଚୋରି ର଼୍ୟାକେଟ୍‌: ୪ ଗିରଫ

ମୁରିବାହାଲ, ୩।୧୦ (ଡି.ଏନ.ଏ.): ବଲାଙ୍ଗୀର ଜିଲା ମୁରିବାହାଲ ଥାନା ପୋଲିସ ମୋବାଇଲ ଲୁଟ ର଼୍ୟାକେଟର ୪ଜଣଙ୍କୁ ଗିରଫ କରିଛି। ସେମାନଙ୍କ ପାଖରୁ ୩ଟି ମୋବାଇଲ ଓ ଗୋଟିଏ ବାଇକ ଜବତ କରାଯାଇଛି। ଲୁଟ୍‌ ସମ୍ପର୍କରେ ପଚରାଉଚରା ପରେ ଗୁରୁବାର ଅପରାହ୍ନରେ ୪ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ୩ଜଣ ଲୁଟେରା ଓ ଅନ୍ୟ ଜଣେ କ୍ରେତା ରହିଛନ୍ତି। ସେମାନେ ହେଲେ ଖଜୁରପଡାର ମୁଖ୍ୟ ଅଭିଯୁକ୍ତ ମକୁନ୍ଦ ବାଗ, ତାଙ୍କର ୨ସହଯୋଗୀ ସୂରଜ ମହାନନ୍ଦ ଓ ଭାଗ୍ୟସର ପୁଟେଲ ଏବଂ ଚୋରି ମୋବାଇଲ କ୍ରୟ କରିଥିବା ସଇଁତଲା ଥାନା ଫପସି ଗ୍ରାମର ସୁଦାମ ମହାନନ୍ଦ।
ଏ ନେଇ ମୁରିବାହାଲ ଥାନା ପରିସରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି କଣ୍ଟାବାଞ୍ଜି ଏସ୍‌ଡିପିଓ ସରୋଜ କୁମାର ମହାପାତ୍ର। ତାଙ୍କ ସୂଚନା ଅନୁଯାୟୀ, ୨୦୧୯ ଅଗଷ୍ଟ ୩୦ତାରିଖରେ ମୁରିବାହାଲ ଥାନା ହଳଦୀ ଗ୍ରାମର ଆଲବମ୍‌ ଅଭିନେତା ଜିତେନ୍ଦ୍ର କୁମ୍ଭାରଙ୍କର ମୋବାଇଲ ହାଇସ୍କୁଲ ଖେଳ ପଡିଆ ନିକଟରେ ଲୁଟ ହୋଇ ଯାଇଥିଲଶ। ଏ ନେଇ ଅଭିଯୋଗ ହେବା ପରେ ପୋଲିସ ଏକ ସ୍ବତନ୍ତ୍ର ଦଳ ଗଠନ କରିଥିଲା। ଟାକ୍ରିଂ କରିବା ପରେ ମୁଖ୍ୟ ଅଭିଯୁକ୍ତ ଖଜୁରପଡାର ମକୁନ୍ଦ ବାଗଙ୍କୁ ପୋଲିସ ଧରିଥିଲା। ଏହି ଲୁଟ୍‌ରେ ତାଙ୍କୁ ସହଯୋଗ କରିଥିବା ସୂରଜ ମହାନନ୍ଦ ଓ ଭାଗ୍ୟସର ପୁଟେଲଙ୍କୁ ଗିରଫ କରିଥିଲା ପୋଲିସ। ଅଭିଯୁକ୍ତମାନଙ୍କଠାରୁ ୩ଟି ରେଡମି, ଅପୋ ଓ ଏମଆଇ ମୋବାଇଲ ଜବତ କରାଯାଇଛି। ଅଭିଯୁକ୍ତମାନେ ବ୍ୟବହାର କରୁଥିବା ବାଇକ ନଂ.ଓଡି ୦୩ ଏଲ-୬୧୨୪ କୁ ମଧ୍ୟ ପୋଲିସ ଜବତ କରିଛି। ଏ ନେଇ ମୁରିବାହାଲ ଥାନାରେ ଦଫା, ୩୭୯, ୩୯୨, ୪୧୧ରେ ଏକ ମାମଲା (ନଂ. ୧୧୨/୧୯) ରୁଜୁ କରାଯାଇଛି । ଉକ୍ତ ମୋବାଇଲଗୁଡିକକୁ କ୍ରୟ କରିଥିବା ଫପସି ଗ୍ରାମର ସୁଦାମ ମହାନନ୍ଦଙ୍କୁ ମଧ୍ୟ ଗିରଫ କରାଯାଇଛି। ମୁଖ୍ୟ ଅଭିଯୁକ୍ତ ମକୁନ୍ଦ ବାଗଙ୍କ ନାମରେ ପୂର୍ବରୁ ଟିଟିଲାଗଡ, କଣ୍ଟାବାଞ୍ଜି, ସଇଁତଲା, କଳାହାଣ୍ଡି ଜିଲାର କେସିଙ୍ଗା ଓ କେଗାଁ ପ୍ରଭୃତି ଥାନାରେ ଏକାଧିକ ମାମଲା ରହିଥିବା ଏସ୍‌ଡିପିଓ ମହାପାତ୍ର ସୂଚନା ଦେଇଛନ୍ତି । ଖବରଦାତା ସମ୍ମିଳନୀରେ ମୁରିବାହାଲ ଥାନା ଅଧିକାରୀ ରଞ୍ଜନ କୁମାର ବରିଆ ଓ ଏସଆଇ ସରୋଜରଞ୍ଜନ ରଥ ଉପସ୍ଥିତ ଥିଲେ।