ମୋବାଇଲ ଟାଓ୍ବାର ବସାଇବା ନାଁରେ ୨ଲକ୍ଷରୁ ଊର୍ଦ୍ଧ୍ୱ ଠକେଇ

ବାସୁଦେବପୁର,୬।୩(ଡି.ଏନ.ଏ.)-ଭଦ୍ରକ ଜିଲା ବାସୁଦେବପୁର ଥାନା ଅଧୀନ ସମିଆ ଗ୍ରାମରେ ୩ଟି ମୋବାଇଲ ଟାୱାର ବସାଇବା ନାଁରେ ୨ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଠକେଇ ହୋଇଥିବା ସାମ୍ନାକୁ ଆସିଛି। ଟାୱାର ବସାଇବାକୁ ଟଙ୍କା ଦେଇ ଠକାମିର ଶିକାର ହୋଇଥିବା ଗ୍ରାମର ଲକ୍ଷ୍ମୀଧର ଘୋଷ ଓ ମଧୁସୂଦନ ଘୋଷ ଶୁକ୍ରବାର ବାସୁଦେବପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏଥିସହ ଟଙ୍କା ନେଣଦଣରେ ସାମିଲ ଥିବା ଚୁଡ଼ାମଣି ଅଞ୍ଚଳର ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କୁ ପୋଲିସ ଜିମା ଦେଇଛନ୍ତି। ପୋଲିସ ଘଟଣାର ପ୍ରାଥମିକ ତଦନ୍ତ ଆରମ୍ଭ କରିଛି।
ଅଭିଯୋଗ ଅନୁଯାୟୀ, ଭଦ୍ରକର ଏକ ସଂସ୍ଥା ପକ୍ଷରୁ ସମ୍ପୃକ୍ତ ଅବସରପ୍ରାପ୍ତ ସେନା କର୍ମଚାରୀ ଲକ୍ଷ୍ମୀଧର ଓ ମଧୁସୂଦନଙ୍କ ବାଡ଼ିରେ ୩ଟି ଟାୱାର ବସାଇବାକୁ ଅଗ୍ରିମ ୨,୧୧,୫୦୦ ଟଙ୍କା ନେଇଥିଲେ। ୮ ବର୍ଷ ତଳେ ଏହି ଟଙ୍କା ନେଣଦେଣ ହୋଇଥିବାବେଳେ ମୋବାଇଲ ଟାୱାର ବସିବା କାର୍ଯ୍ୟ ଅଧାପନ୍ତରିଆ ହୋଇ ପଡ଼ିରହିଛି। ମୋବାଇଲ ଟାୱାର ଖୁଣ୍ଟ ଅର୍ଦ୍ଧନିର୍ମିତ ଅବସ୍ଥାରେ ଛିଡ଼ା ହୋଇ ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିବାରୁ ସେମାନେ ଗତବର୍ଷ ଟାୱାର ଖୁଣ୍ଟକୁ ଖୋଲି ରଖି ଦେଇଥିଲେ। ବାରମ୍ବାର ତାଗିଦ୍‌ ସତ୍ତ୍ବେ ସମ୍ପୃକ୍ତ ସଂସ୍ଥା ପକ୍ଷରୁ ଟାୱାର କାର୍ଯ୍ୟ ନିର୍ମାଣ ଶେଷ ନ କରିବା ଓ ଟଙ୍କା ଫେରସ୍ତ ନ କରିବା ଘଟଣାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ଶେଷରେ ସେମାନେ ବାଧ୍ୟ ହୋଇ ଥାନାର ଦ୍ୱାରସ୍ଥ ହୋଇଛନ୍ତି।