ମୋବାଇଲ ଟାୱାର ସ୍ଥାପନ ନଁ।ରେ ଠକେଇ: ୪ ଗିରଫ, ନକଲି ନୋଟ ଜବତ

ବାରିପଦା ଅଫିସ, ୭।୧୦- ମୋବାଇଲ ଟାଓ୍ବାର ସ୍ଥାପନ ନଁ।ରେ ଠକେଇ ଅଭିଯୋଗରେ ମୟୂରଭଞ୍ଜ ଜିଲା କରଞ୍ଜିଆ ଥାନା ପୋଲିସ ସୋମବାର ୪ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ଅଲେଖ ଚନ୍ଦ୍ର ପଲେଇ, ଶାନ୍ତିଲତା ଦାସ, ଶେଖ୍‌ ସରଜୁଲ ଓ ଶେଖ୍‌ କାଲିମୁଦିନ। ଏଥିସହ ପୋଲିସ ସେମାନଙ୍କଠାରୁ ନକଲି ନୋଟ୍‌, ୪ ମୋବାଇଲ ଓ ୨ ବାଇକ୍‌ ଜବତ କରିଛି। ଏ ନେଇ ଥାନାରେ ଏକ ମାମଲା(ନଂ.୧୪୧/୧୯ ) ରୁଜୁ କରାଯାଇଛି।
କରଞ୍ଜିଆ ଥାନାଧିକାରୀ ଲଷ୍ମୀଧର ସ୍ବାଇଁଙ୍କ ସୂଚନା ଅନୁଯାୟୀ, ବାଦାମପାହାଡ଼ ଥାନା ଚିନ୍ତବନ୍ଧ ଅଞ୍ଚଳର ଅବସରପ୍ରାପ୍ତ ସେନା କର୍ମଚାରୀ ବିରେନ୍ଦ୍ର ପିଙ୍ଗୁଆଙ୍କ ଜମିରେ ଏକ ଟେଲିଫୋନ ଟାୱାର ସ୍ଥାପନ କରିବା ପାଇଁ ଯଶିପୁର ଅଞ୍ଚଳର ଅଲେଖ ଯୋଗାଯୋଗ କରିଥିଲେ। ଏହି ବାବଦକୁ ଟେଲିଫୋନ କମ୍ପାନୀ ତାଙ୍କୁ ୨୫ ଲକ୍ଷ ଟଙ୍କା ଦେବ ବୋଲି ସେ କହିଥିଲେ। ବିଭନ୍ନ କାଗଜପତ୍ର ବାବଦକୁ ୨ମାସ ତଳେ ୧୨ ହଜାର ଟଙ୍କା ନେଇଥିଲେ। ସୋମବାର କମ୍ପାନୀ ୨ ଲକ୍ଷ ୫୦ ହଜାର ଟଙ୍କା ଦେବ ବୋଲି କହି ସେ କରଞ୍ଜିଆ ସହରର ଏକ ନିଛାଟିଆ ସ୍ଥାନକୁ ବିରେନ୍ଦ୍ରଙ୍କୁ ଡାକିଥିଲେ ଏବଂ ଅଲେଖ କମିଶନ ବାବଦକୁ ୧୦ ହଜାର ଟଙ୍କା ଦେବାକୁ କହିଥିଲେ। ଏ ନେଇ ସନ୍ଦେହ ହେବାରୁ ବିରେନ୍ଦ୍ର ପୂର୍ବରୁ କରଞ୍ଜିଆ ପୋଲିସକୁ ଖବର ଦେଇଥିଲେ। ଉକ୍ତ ୪ ଜଣଙ୍କ ସହ ବିରେନ୍ଦ୍ର ଟଙ୍କା ଦିଆନିଆ ହେଉଥିବା ବେଳେ ଥାନାଧିକାରୀ ସ୍ବାଇଁ ପୂର୍ବ ଯୋଜନା ମୁତାବକ ସେଠାରେ ଚଢ଼ାଉ କରି ସେମାନଙ୍କୁ ଗିରଫ କରିଥିଲେ। ୧୦ ହଜାର ଟଙ୍କା ନେଇ ବିରେନ୍ଦ୍ରଙ୍କୁ ଦେବାକୁ ଥିବା ୨ ଲକ୍ଷ ୫୦ ହଜାର ଟଙ୍କା ଏକ ଟିଣ ବାକ୍ସରେ ରଖାଯାଇଥିଲା। ଏହି ଟିଣ ବାକ୍ସ ସମ୍ମୁଖରେ ପ୍ରାୟ ୧୦ଟି ୧୦୦ ଟଙ୍କିଆ ନୋଟ ଥିବାବେଳେ ଭିତରର ନକଲି ଟଙ୍କା (କଲର ଜେରକ୍ସ ଟଙ୍କା) ରହିଥିଲା। ପୋଲିସ ଗିରଫ ୪ ଜଣଙ୍କୁ କୋର୍ଟ ଚାଲାଣ କରିଛି। ପ୍ରକାଶ ଯେ, ଅଲେଖ ପୂର୍ବରୁ ଏହି ଠକେଇ କରି ଜେଲ୍‌ ଯାଇଥିଲେ। ୨୦୧୬ରେ ତାଙ୍କ ନାମରେ ଯଶିପୁର ଥାନାରେ ଏଭଳି ଏକ ଠକେଇ ମାମଲା(ନଂ. ୧୫/୧୬ ) ରହିଛି।