ମୋବାଇଲ ଦେଖିବାକୁ ମନା କରିବାରୁ ଛାତ୍ରଙ୍କ ଆତ୍ମହତ୍ୟା

ପଦ୍ମପୁର, ୨୩।୧୨ (ଡି.ଏନ.ଏ.)- ମୋବାଇଲ ଦେଖିବାକୁ ମନା କରିବାରୁ ନବମ ଶ୍ରେଣୀ ଛାତ୍ରଙ୍କ ଅଭାବନୀୟ କାଣ୍ଡ। ସୋମବାର ମଧ୍ୟାହ୍ନରେ ଛାତ୍ର ଜଣଙ୍କ ସିଡ଼ି ଘରକୁ ଯାଇ ବେକରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଥିବା ପରିବାର ପକ୍ଷରୁ କୁହାଯାଇଛି। ମୃତ ନାବାଳକ ହେଲେ ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ବାଲିମେଦ ପଞ୍ଚାୟତ ପୁରୁଷୋତ୍ତମପୁର ଗ୍ରାମର ଦେବଙ୍କର ନାୟକ(୧୪)। ସେ ସ୍ଥାନୀୟ ଭେଡ଼ା ସହଯୋଗ ଉଚ୍ଚ ବିଦ୍ୟାଳୟରେ ପାଠ ପଢୁଥିଲେ। ପରିବାର ଲୋକଙ୍କ କହିବା ଅନୁଯାୟୀ, ଦେବଙ୍କର ବହୁ ସମୟ ଧରି ମୋବାଇଲ ବ୍ୟବହାର କରୁଥିବାରୁ ସକାଳେ ତାଙ୍କ ମା’ ଆକଟ କରିଥିଲେ। ଏହାପରଠାରୁ ମଧ୍ୟାହ୍ନ ପର୍ଯ୍ୟନ୍ତ ସେମାନେ ତାଙ୍କୁ ଘରେ ନ ପାଇବାରୁ ବହୁ ଖୋଜାଖୋଜି କରିଥିଲେ। ସିଡ଼ି ଘରେ ଦଉଡ଼ିରେ ଝୁଲନ୍ତା ଅବସ୍ଥାରେ ତାଙ୍କୁ ଦେଖିବାକୁ ପାଇଥିଲେ। ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ବାସୁଦେବପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଦେବଙ୍କର ମା’ବାପାଙ୍କର ଏକମାତ୍ର ପୁଅ ହୋଇଥିବାରୁ ତାଙ୍କ ମୃତ୍ୟୁରେ ପରିବାର ସମେତ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ତେବେ ରିପୋର୍ଟ ଲେଖା ହେବା ବେଳକୁ ଏ ନେଇ ଥାନାରେ କୌଣସି ଅଭିଯୋଗ ହୋଇ ନ ଥିଲେ ମଧ୍ୟ ନାୟକାଣିଡିହୀ ପୋଲିସ ଘଟଣାର ତଦନ୍ତ ଚଳାଇଛି।