‘ମୋମୋ’କରିଛି ସସ୍ମିତାଙ୍କୁ ସ୍ବାବଲମ୍ବୀ

ଘସିପୁରା, ୧୩।୧୨(ଡି.ଏନ.ଏ.)-‘ମୋମୋ’ ଏହି ସ୍ବାଦିଷ୍ଟ ଖାଦ୍ୟ ବ୍ୟଞ୍ଜନ ବିଷୟରେ ହୁଏତ ସଭିଏଁ ଜାଣିଥିବେ। ଆଉ ଏହାର ସ୍ବାଦ ମଧ୍ୟ ଚାଖିଥିବେ। ସାଧାରଣତଃ ବଡ଼ ସହାରଞ୍ଚଳରେ ମିଳୁଥିବା ମୋମୋ ଏବେ ଆନନ୍ଦପୁରରେ ମଧ୍ୟ ମିଳୁଛି। ଆଉ ସବୁଠାରୁ ଗୁରୁତ୍ୱପୁର୍ଣ୍ଣ ବିଷୟ ଏହିକି ଯେ ମୋମୋ ତିଆରି ବ୍ୟବସାୟ ଜରିଆରେ ଜଣେ ମହିଳା ଆତ୍ମନିର୍ଭରଶୀଳ ହେବା ସହ ସ୍ବାବଲମ୍ବୀ ହୋଇ ପାରିଛନ୍ତି।
ଆନନ୍ଦପୁର ପୌରାଞ୍ଚଳ ଫକିରପୁରରେ ଗୋବିନ୍ଦ ଦାସଙ୍କ ସ୍ତ୍ରୀ ସସ୍ମିତା ଦାସଙ୍କ ହାତ ତିଆରି ସ୍ବାଦିଷ୍ଟ ମୋମୋ ଏବେ ସ୍ଥାନୀୟ ଅଞ୍ଚଳରେ ବେଶ ପରିଚିତ। ସସ୍ମିତା ନିଜ ଘରେ ମୋମୋ ତିଆରି କରି ତାହାର ବ୍ୟବସାୟରେ ସ୍ବାବଲମ୍ବୀ ହେବା ସହ ପରିବାର ରୋଜଗାରରେ ସ୍ବାମୀଙ୍କ ସହ ଅଂଶିଦାର ହୋଇ ପାରିଛନ୍ତି। ଫକିରପୁର ଏହି ଯୁବ ଦମ୍ପତି ଦୀର୍ଘ ବର୍ଷ ହେବ ନେପାଳରେ ରହୁଥିଲେ। ସେଠାରେ ଗୋବିନ୍ଦ ଏକ କମ୍ପାନୀରେ ଚାକିରି କରି ପରିବାର ପ୍ରତିପୋଷଣ କରୁଥିଲେ। ସସ୍ମିତା ସେହିଠାରେ ହିଁ ନିଜ ସାଙ୍ଗସାଥୀ ଓ ପଡ଼ିଶାଙ୍କ ଠାରୁ ମୋମୋ ତିଆରି କରିବା କଳାକୌଶଳ ପାଇଥିଲେ। ନିଜ ଦୃଢ ଇଚ୍ଛାଶକ୍ତି ବଳରେ ସେ ସ୍ବଦିଷ୍ଟ ମୋମୋ ତିଆରି କୌଶଳ ଶିଖି ପାରିଥିଲେ। ଏବେ ଏହି ଦମ୍ପତି ଫକିରପୁର ସ୍ଥିତ ନିଜ ଘରକୁ ଫେରି ଆସି ଏଠାରେ ମୋମୋ ବ୍ୟବସାୟ କରି ନିଜ ପରିବାର ପ୍ରତିପୋଷଣ କରି ପାରୁଛନ୍ତି। ମଇଦାକୁ ଚକଟି ସେଥିରେ ଚିକେନ କିମ୍ବା ପନିରକୁ ପୁର ଆକାରରେ ଦେଇ ଷ୍ଟିମରରେ ଶିଝାଇ ମୋମୋ ପ୍ରସ୍ତୁତ କରୁଛନ୍ତି ସସ୍ମିତା। ସସ୍ମିତାଙ୍କ ମୋମୋ ଖାଇବାକୁ ଆନନ୍ଦପୁର ,ଘସିପୁରା, ଶାଳପଡ଼ା ସମେତ ଆଖପାଖ ଅଞ୍ଚଳରୁ ବହୁ ଗରାଖଙ୍କ ଭିଡ଼ ଜମୁଛି। ସ୍ତ୍ରୀଙ୍କର ଏହି ମୋମୋ ତିଆରି କରିବାର କୌଶଳ ଉପରେ ଖୁସି ବ୍ୟକ୍ତ କରିବା ସହ ଭବିଷ୍ୟତରେ ଏହି ବ୍ୟବସାୟକୁ ବଢାଇବା ପାଇଁ ଲକ୍ଷ୍ୟ ରଖିଥିବା ଗୋବିନ୍ଦ କହିଛନ୍ତି।