Categories: ଖେଳ

ମୋର୍ଗାନଙ୍କ ଛକା ରେକର୍ଡ

ମାଞ୍ଚେଷ୍ଟର, ୧୯।୬(ପି.ଟି.)- ଇଂଲଣ୍ଡ ଅଧିନାୟକ ଇଅନ ମୋର୍ଗାନ ଦିନିକିଆ ଫର୍ମାଟରେ ଗୋଟିଏ ଇନିଂସରେ ସର୍ବାଧିକ ଛକା ମାରିବାରେ ରେକର୍ଡ କରିଛନ୍ତି। ମଙ୍ଗଳବାର ଖେଳାଯାଇଥିବା ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍‌ରେ ସେ ୧୭ଟି ଛକା ମାରି ଏକ ବିରଳ ସଫଳତା ହାସଲ କରିଛନ୍ତି। ୭୧ଟି ବଲର ସମ୍ମୁଖୀନ ହୋଇ ସେ ୧୪୮ ରନର ଶତକୀୟ ପାଳି ଖେଳି ଗୁଲବଦିନ ନାଇବଙ୍କ ବଲ୍‌ରେ ରହମତ ସାହାଙ୍କୁ କ୍ୟାଚ ଦେଇ ପ୍ୟାଭିଲିୟନ ଫେରିଥିଲେ। ଦିନିକିଆରେ ସର୍ବାଧିକ ଛକା ମାରିବାରେ ସେ ଭାରତୀୟ ଉପ-ଅଧିନାୟକ ରୋହିତ ଶର୍ମା, ଓ୍ବେଷ୍ଟଇଣ୍ଡିଜର କ୍ରିସ୍‌ ଗେଲ ଓ ଦକ୍ଷିଣ ଆଫ୍ରିକାର ପୂର୍ବତନ ବ୍ୟାଟ୍ସମ୍ୟାନ ଏବି ଡିଭିଲର୍ସଙ୍କୁ ପଛରେ ପକାଇଛନ୍ତି। ୨୦୧୩ରେ ରୋହିତ ଅଷ୍ଟ୍ରେଲିଆ ବିପକ୍ଷରେ ୧୬ଟି ଛକା ମାରିଥିଲେ। ସେହିପରି ଗେଲ୍‌ ୨୦୧୫ର ଜିମ୍ବାଓ୍ବେ ବିପକ୍ଷରେ ଓ ଡିଭିଲର୍ସ ୨୦୧୫ରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ୧୬ଟି ଛକା ମାରିଥିଲେ। ମୋର୍ଗାନଙ୍କ ଏହି ଧୂଆଁଧାର ଇନିଂସ ବଳରେ ଇଂଲଣ୍ଡ ଆଫଗାନିସ୍ତାନକୁ ୧୫୦ ରନରେ ପରାସ୍ତ କରିଛି। ମୋର୍ଗାନଙ୍କ ପାଇଁ ଏହା କ୍ୟାରିୟରର ଶ୍ରେଷ୍ଠ ଶତକ ତଥା ଇନିଂସ ସାବ୍ୟସ୍ତ ହୋଇଛି। ଏଥି ସହିତ ବିଶ୍ୱକପ୍‌ ଇତିହାସରେ ସେ ଚତୁର୍ଥ ଦ୍ରୁତତମ ଶତକ ଅର୍ଜନ କରିଛନ୍ତି। ସେ କ୍ୟାରିୟରର ୧୩ତମ ଦିନିକିଆ ଶତକ ଅର୍ଜନ କରିଛନ୍ତି।

Share