Categories: ଖେଳ

ମୋହନବାଗାନକୁ ୩ ଲକ୍ଷ ଟଙ୍କା ଜରିମାନା

କୋଲକାତା, ୧୬ା୨ (ପି.ଟି.)-ସର୍ବଭାରତୀୟ ଫୁଟବଲ ମହାସଂଘ (ଏଆଇଏଫ୍‌ଏଫ୍‌)ର ଶୃଙ୍ଖଳା କମିଟି ଆଇ-ଲିଗ୍‌ ହେଭିଓ୍ବେଟ୍‌ ମୋହନବାଗାନକୁ ୩ ଲକ୍ଷ ଟଙ୍କା ଜରିମାନା କରିଛି। ୪ଜଣ ପୂର୍ବତନ ଖେଳାଳିଙ୍କୁ ସେମାନଙ୍କ ପାରିଶ୍ରମିକ ପ୍ରଦାନ କରି ନ ଥିବାରୁ ଏହି ଦଣ୍ଡବିଧାନ କରାଯାଇଛି। ୧୫ଦିନ ମଧ୍ୟରେ ଜରିମାନା ଜମା କରିବା ସହ ଏକ ମାସ ମଧ୍ୟରେ ଖେଳାଳିମାନଙ୍କୁ ସେମାନଙ୍କ ବକେୟା ପାଉଣା ପ୍ରଦାନ ଲାଗି ଶୃଙ୍ଖଳା କମିଟି କହିଛି। ନିର୍ଦ୍ଦେଶ ଅମାନ୍ୟ କଲେ ଏଆଇଏଫ୍‌ଏଫ୍‌ ଅଧୀନସ୍ଥ ସମସ୍ତ ଟୁର୍ନାମେଣ୍ଟ ଲାଗି ଏହି ପୁଟ୍‌ବଲ କ୍ଲବ ବିରୋଧରେ ଖେଳାଳି ଦଦଳି କଟକଣା ଜାରି କରାଯିବ। ଖବର ଅନୁସାରେ କେରଳ ବ୍ଲାଷ୍ଟର୍ସର ଦୁଇ ମିଡ୍‌ଫିଲ୍ଡର ରାଜୁ ଗାଏକ୍ୱାଡ ଏବଂ ଡାରେନ କାଲ୍‌ଡେରାଙ୍କ ଉପରେ ଯଥାକ୍ରମେ ୧୧ ଲକ୍ଷ ଟଙ୍କା ଏବଂ ୮, ୭୦, ୬୦୧ ଟଙ୍କା ଦେବାକୁ ମୋହନବାଗାନକୁ କୁହାଯାଇଛି। ସେହିପରି ଅଭିଷେକ ଆମ୍ବେକର (ବର୍ତ୍ତମାନ ଇଷ୍ଟବେଙ୍ଗଲ ଲେଫ୍ଟବ୍ୟାକ୍‌) ଏବଂ ରିକାର୍ଡୋ କାର୍ଡୋଜଙ୍କ ଉପରେ ୨୦୧୭ରୁ ମୋହନବାଗାନର ଯଥାକ୍ରମେ ୫,୬୦,୦୦୦ ଟଙ୍କା ଏବଂ ୭,୬୦,୦୦୦ ଟଙ୍କା ବାକି ପଡ଼ିଛି। ପୂର୍ବତନ ମୋହନବାଗାନ କୋଚ୍‌ ଖଲିଦ ଜମିଲ ମଧ୍ୟ ତାଙ୍କ ପୂରା ବେତନ ପାଇ ନାହାନ୍ତି। କ୍ଲବ ମାସକ ମଧ୍ୟରେ ତାଙ୍କ ପାଉଣା ଦେଇଦେବ ବୋଲି ପ୍ରତିଶ୍ରୁତି ଦେଇଛି। ଶୃଙ୍ଖଳା କମିଟି କିନ୍ତୁ ଜମିଲଙ୍କୁ ତାଙ୍କ ଅବଶିଷ୍ଟ ପ୍ରାପ୍ୟ ୮,୨୦,୦୦୦ ଟଙ୍କା ଏକମାସ ମଧ୍ୟରେ ଦେଇଦେବା ଲାଗି କହିଛି। ଖଲିଦ ଜମିଲ ସୂଚନା ଦେଇଛନ୍ତି ଯେ, ମୋହନବାଗାନ ଇତିମଧ୍ୟରେ ତାଙ୍କୁ ୪,୦୦,୦୦୦ ଟଙ୍କା ପ୍ରଦାନ କରିସାରିଛି। ଅନ୍ୟ ଖେଳାଳିମାନେ କିନ୍ତୁ କହିଛନ୍ତି ସେମାନଙ୍କୁ ଏପର୍ଯ୍ୟନ୍ତ ସେମାନଙ୍କ ପାରିଶ୍ରମିକ ମିଳିନାହିଁ। ଜମିଲଙ୍କ ରେକର୍ଡିଂ ଷ୍ଟେଟ୍‌ମେଣ୍ଟରୁ ଯାହା ଜଣାପଡ଼ୁଛି। ମୋହନ ବାଗାନ ଦେଇଥିବା ଏହାର ପ୍ରତିଶ୍ରୁତି ପାଳନ କରିବ। ଶନିବାର ନାଗପୁରରେ ଏଆଇଏଫ୍‌ଏଫ୍‌ ଶୃଙ୍ଖଳା କମିଟି ବୈଠକ ବସିଥିଲା। କମିଟି ଶୁଣାଣିକୁ ଏକ ମାସ ପାଇଁ ମୁଲତବି ରଖିଛି।

Share