Categories: ଖେଳ

ମୋହନ ବାଗାନର କ୍ରମାଗତ ୫ମ ବିଜୟ

କଲ୍ୟାଣୀ (ପଶ୍ଚିମ ବଙ୍ଗ), ୧୫ା୨ (ପି.ଟି.)-ସ୍ଥାନୀୟ କଲ୍ୟାଣୀ ଷ୍ଟାଡିୟମରେ ଶୁକ୍ରବାର ଖେଳାଯାଇଥିବା ଏକ ଆଇ-ଲିଗ୍‌ ମ୍ୟାଚରେ ମୋହନ ବାଗାନ ୬-୨ ଗୋଲରେ ନେରୋକା ଏଫ୍‌ସିକୁ ପରାସ୍ତ କରିଛି। ପ୍ରତିଯୋଗିତାରେ ଦଳର ଏହା ହେଉଛି କ୍ରମାଗତ ୫ମ ବିଜୟ। ମ୍ୟାଚ୍‌ର ପ୍ରଥମାର୍ଦ୍ଧରେ ବିଜୟୀ ଦଳର ଫ୍ରାନ୍‌ ଗୋଞ୍ଜାଲେଜ (୧୦ମ, ୨୪ତମ ଏବଂ ୪୫ତମ ମିନିଟ) ହ୍ୟାଟ୍ରିକ ଅର୍ଜନ କରିଛନ୍ତି। ଫ୍ରାନ୍‌ ମୋରାଣ୍ଟେ (୧୩ତମ), ବାବା ଦିଆଓ୍ବାରା (୩୭) ଏବଂ ଆଲେକ୍‌ଜାଣ୍ଡର ରୋମାରିଓ ଜେଶୁରାଜ (୭୦ତମ) ପ୍ରତ୍ୟେକେ ଗୋଟିଏ ଲେଖାଏଁ ଗୋଲ ସ୍କୋର କରିଥିଲେ। ଇମ୍ଫାଲ ଦଳ ନେରୋକା ତରଫରୁ ଫିଲିପ୍‌ ଆଡ୍‌ଜା (୪୧ତମ) ଏବଂ ସୁଭାଷ ସିଂ (୪୫+୨ ତମ) ଗୋଟିଏ ଲେଖାଏଁ ଗୋଲ ସ୍କୋର କରିଥିଲେ। ମ୍ୟାଚର ପ୍ରଥମାର୍ଦ୍ଧ ଖେଳରେ ୭ଟି ଗୋଲ ସ୍କୋର ହୋଇଥିଲା। ୨୦୧୪-୧୫ ଚାମ୍ପିୟନ ମୋହନ ବାଗାନ ଚଳିତବର୍ଷ ଗତ ୧୦ଟି ମ୍ୟାଚରେ ଅପରାଜେୟ ରହିଛି। ଦଳର ଏହା ହେଉଛି ଅନ୍ତିମ ଆଇ-ଲିଗ୍‌ ସିଜନ। ପଏଣ୍ଟ ଟେବୁଲରେ ମୋହନ ବାଗାନ ଏହାର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ମିନର୍ଭା ପଞ୍ଜାବ (୧୮)ଠାରୁ ୧୧ ପଏଣ୍ଟ ବ୍ୟବଧାନ ସହ ପ୍ରଥମ ସ୍ଥାନରେ ଅଛି। ଅନ୍ୟପକ୍ଷରେ ନେରୋକା ଏଫ୍‌ସି ୧୩ ମ୍ୟାଚରୁ ୧୨ ପଏଣ୍ଟ ପାଇ ସର୍ବନିମ୍ନ ସ୍ଥାନରେ ରହିଛି।

Share