ନୂଆଦିଲ୍ଲୀ,୩୧।୩: ରାଜଧାନୀ ଦିଲ୍ଲୀର ବାବରପୁରରେଥିବା ମୋହଲ୍ଲା କ୍ଲିନିକର ଜଣେ ଡାକ୍ତର କରୋନା ଭାଇରସରେ ପୀଡ଼ିତ ହୋଇଥିବା ମଙ୍ଗଳବାର ଜଣାପଡିଛି। ଉକ୍ତ କ୍ଲିନିକକୁ ମାର୍ଚ୍ଚ ୧୨-୨୦ ଭିତରେ ଆସିଥିବା ସମସ୍ତ ରୋଗୀ ଓ ଅନ୍ୟ ବ୍ୟକ୍ତିଙ୍କୁ ନିଜ ଘରେ ସେଲ୍ଫ କ୍ୱାରାଣ୍ଟାଇନରେ ୧୫ ଦିନ ପର୍ଯ୍ୟନ୍ତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ସୂଚନାଯୋଗ୍ୟ, ବର୍ତ୍ତମାନ ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢି ଚାଲିଥିବା ବେଳେ ଡାକ୍ତରମାନେ ଏଥିରେ ଆକ୍ରାନ୍ତ ହେବା ଚିନ୍ତାର କାରଣ ପାଲଟି ଯାଇଛି। ଏବେ ସୁଦ୍ଧା ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୨ଶହ ଅତିକ୍ରମ କରି ସାରିଲାଣି। ପୂର୍ବାପେକ୍ଷା ଏହା ଦ୍ରୁତ ଗତିରେ ବ୍ୟାପୁଥିବାରୁ ଲୋକେ ଏକ ପ୍ରକାର ଭୟଭୀତ ହୋଇଯାଉଥିବା ଲକ୍ଷ୍ୟ କରାଯାଉଛି।