Categories: ଜାତୀୟ

‘ମୋ ପିତା ପୋଲିସ, କମ୍‌ ପାଠ ପଢିଛନ୍ତି ହେଲେ ଆପଣ ପରା ଓକିଲ ଅଧିକ ପଢିଛନ୍ତି’: ଭାଇରାଲ ହେଉଛି ମେସେଜ୍‌

ନୂଆଦିଲ୍ଲୀ,୫।୧୧: ଏବେ ସୋସିଆଲ ମିଡିଆରେ ଏମିତି ଏକ ମେସେଜ୍‌ ଭାଇରାଲ ହେବାରେ ଲାଗିଛି ଯାହା ସବୁଠି ଆସିଛି ଚର୍ଚ୍ଚାକୁ। ଦିଲ୍ଲୀର ତିସ୍‌ ହଜାରି କୋର୍ଟରେ ପୋଲିସ ଓ ଓକିଲଙ୍କ ମଧ୍ୟରେ ହୋଇଥିବା ହିଂସା ସହ ଏହା ଜଡିତ ବୋଲି କୁହାଯାଉଛି। ତେବେ ଦିଲ୍ଲୀ ପୋଲିସକୁ ସହଯୋଗ କଲାଭଳି ଉକ୍ତ ମେସେଜରେ ଲେଖାଯାଇଛି, ‘ ଓକିଲ ଅଙ୍କଲ ମୋ ବାପା ପୋଲିସ। ସମସ୍ତେ କହନ୍ତି ସେ କମ୍‌ ପାଠ ପଢିଛନ୍ତି। ଆଇନ ବିଷୟରେ ସେ ଟିକେ ପଛରେ। ହେଲେ ଆପଣତ ଅଧିକ ପାଠ ପଢିଛନ୍ତି, ଆଇନ ବିଷୟରେ ଅଧିକ ଜାଣିଛନ୍ତି’। ଏମିତି ଏକ ମେସେଜ୍‌ ଏବେ ଭାଇରାଲ ହୋଇଛି। ଏହା ଜଣେ କୋମଳ ମତି ଶିଶୁଙ୍କର ବୋଲି କୁହାଯାଉଛି। ଏଥିରେ ଆହୁରି ମଧ୍ୟ ଲେଖାଯାଇଛି ଯଦି ମୋ ବାପା ଆପଣଙ୍କର କୌଣସି ସାଥିଙ୍କୁ ଧରିନେଲେ ତେବେ ଆପଣ ୧୦୦ ନମ୍ବରକୁ କଲ୍‌ କରିପାରିଥାଆନ୍ତେ। ଆପଣ ବିଚାରପତିଙ୍କ ପାଖରେ ଅଭିଯୋଗ କରିପାରିଥାଆନ୍ତେ। ଆପଣ ତ ଅନେକ ଥର ପୋଲିସ ପୋଷାକ ଖୋଲି ଦେବାକୁ ଧମକ ବି ଦେଇଛନ୍ତି। ଆପଣଙ୍କ ପାଖେ ଡିସିପିଙ୍କ ନମ୍ବର ବି ଥିଲା ତାଙ୍କୁ ଫୋନରେ ଜଣାଇ ପାରିଥାଆନ୍ତେ। ହେଲେ ଆପଣ ମୋ ବାପାଙ୍କୁ କାହିଁକି ମାରିଲେ କାହିଁକି ଆଇନକୁ ହାତକୁ ନେଲେ। ଏହା ସହ ଆଉ ଏକ ମେସେଜ୍‌ ମଧ୍ୟ ଆସିଛି ଯେଉଁଥିରେ ଆସନ୍ତା ୬ ଓ ୭ ତାରିଖରେ ଦିଲ୍ଲୀ ପୋଲିସ ସେବା ଯୋଗାଇ ପାରିବ ନାହିଁ ବୋଲି ଲେଖାଯାଇଛି। ହେଲେ ଏହା କିଏ ଦେଇଛି ତାହା ସ୍ପଷ୍ଟ ହୋଇ ନ ଥିବା ବେଳେ ଦିଲ୍ଲୀ ପୋଲିସ ମଧ୍ୟ ଏହାର କୌଣସି ଉତ୍ତର ରଖିନାହିଁ। ତେବେ ତିସ୍‌ ହଜାରି କୋର୍ଟରେ ପୋଲିସ ଓ ଓକିଲଙ୍କ ମଧ୍ୟରେ ହୋଇଥିବା ଗଣ୍ଡଗୋଳ ପରେ ଏହା ଭାଇରାଲ ହୋଇଛି।

Share