ମୋ’ ବସରେ କ୍ୟୁଆର୍‌ କୋଡ୍‌ ସେବା ଆରମ୍ଭ

ଭୁବନେଶ୍ୱର, ୧୦ା୬ (ବ୍ୟୁରୋ)-କ୍ୟାପିଟାଲ ରିଜିଅନ୍‌ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ୍‌)ତରଫରୁ ମୋ’ ବସ୍‌ରେ କ୍ୟାସଲେସ୍‌ ଟିକେଟ୍‌ ସେବାର ଆରମ୍ଭ ହୋଇଛି। ଏହା କୋରୋନା ସମୟର ଏକ ମୁଖ୍ୟ ଭୟ (ନୋଟ୍‌ ଏବଂ ଖୁଚୁରା)ର ଆଦାନପ୍ରଦାନ ଜନିତ ସମ୍ପ୍ରସାରଣକୁ କମ୍‌ କରିବା ଦିଗରେ ଏକ ଉଲ୍ଲେଖନୀୟ ପ୍ରୟାସ। ଯାତ୍ରୀ ଏବଂ ଗାଇଡ୍‌ମାନେ ଏଥିଯୋଗୁଁ ନିଜକୁ ସୁରକ୍ଷିତ ରଖିପାରିବେ। କ୍ରୁଟ୍‌ ପ୍ରବନ୍ଧକ ଦିପ୍ତି ମହାପାତ୍ର କହିଛନ୍ତି, ବର୍ତ୍ତମାନ ମୋ’ ବସର ‘ରୁଟ୍‌ ନଂ ୧୬ ଏବଂ ୨୦ରେ ଏହି ସୁବିଧା ଉପଲବ୍ଧ କରାଯାଇଛି। କ୍ରମଶଃ ସମସ୍ତ ରୁଟ୍‌ରେ ଯାତ୍ରୀମାନେ କ୍ୟୁଆର୍‌ କୋଡ୍‌ ମାଧ୍ୟମରେ ନିଜର ଟିକେଟ୍‌ କରିପାରିବେ। ପୂର୍ବରୁ ମୋ’ ବସରେ ମୋବାଇଲ୍‌ ଆପ୍‌ ଏବଂ ଅନଲାଇନ ଟିକେଟ୍‌ ସେବା ଉପଲବ୍ଧ ଥିବାବେଳେ ଏବେ କ୍ୟାସ୍‌ଲେସ୍‌ ସେବା ତଥା କ୍ୟୁଆର କୋହ୍‌ ସେବା ଉପଲବ୍ଧ କରାଯାଇଛି ବୋଲି ମହାପାତ୍ର କହିଛନ୍ତି।
ଯାତ୍ରୀମାନେ ଡିଜିଟାଲ ୱାଲେଟକୁ ବ୍ୟବହାର କରି ଟିକେଟ୍‌ କରିପାରିବେ। ବସରେ ଚଢ଼ିବା ମାତ୍ରେ ଯାତ୍ରୀମାନେ ଗାଇଡମାନଙ୍କ ପାଖରେ ଥିବା କ୍ୟୁଆର୍‌ କୋଡ୍‌କୁ ସ୍କାନ କରିପାରିବେ। ସ୍କାନ କରିବା ମାତ୍ରେ ଟିକେଟ୍‌ର ମୂଲ୍ୟ ସିଧାସଳଖ କ୍ରୁଟ୍‌ର ବ୍ୟାଙ୍କ ଆକାଉଣ୍ଟକୁ ଯିବ। ଉଭୟ ଯାତ୍ରୀ ଏବଂ ଗାଇଡ୍‌ ଏହି ଦେୟ ସମ୍ବଦ୍ଧୀୟ ମେସେଜ୍‌ ନିଜ ମୋବାଇଲରେ ପାଇବେ। ସଫଳ ଦେୟକୁ ତନଖି କରିବା ପରେ ଗାଇଡ୍‌ ଟିକେଟ୍‌ ପ୍ରିଣ୍ଟ କରି ଯାତ୍ରୀଙ୍କୁ ଦେବେ। ଆଗାମୀ ଦିନରେ ଡିଜିଟାଲ୍‌ ଟିକେଟ୍‌ ବୁକିଙ୍ଗ ସେବାକୁ ଅଧିକାରୁ ଅଧିକା ସମୃଦ୍ଧ କରାଯିବ। ନୋଟ୍‌ର ପ୍ରଚଳନକୁ କମ କରିବା ପାଇଁ କ୍ରୁଟ୍‌ ତରଫରୁ ଚେଷ୍ଟା ଚାଲିଛି। ଖୁବ୍‌ଶୀଘ୍ର ଟ୍ୟାପ୍‌ ଏବଂ ପେ କାର୍ଡ ସେବା ଆରମ୍ଭ ହେବାକୁ ଯାଉଛି। କୋରୋନା ସମୟରେ ଏଭଳି ବ୍ୟବସ୍ଥା ଯାତ୍ରୀ ଏବଂ ମୋ’ ବସ କର୍ମଚାରୀମାନଙ୍କୁ ସୁରକ୍ଷିତ ରଖିବ ବୋଲି ମହାପାତ୍ର ଜଣାଇଛନ୍ତି।

Share