ମୋ ବସ୍‌କୁ ଅଟକାଇ ଡ୍ରାଇଭରଙ୍କୁ ମାଡ଼: ମହିଳା ଯାତ୍ରୀଙ୍କୁ ଗାଳିଗୁଲଜ, ଅଭିଯୁକ୍ତ ଗିରଫ

ଭୁବନେଶ୍ୱର,୧୬ା୧(ବ୍ୟୁରୋ):  ମୋ ବସ୍‌କୁ ବଳପୂର୍ବକ ଅଟକାଇ ଡ୍ରାଇଭରଙ୍କୁ ମାଡ଼ ମାରିବା ସହ ମହିଳା ଯାତ୍ରୀଙ୍କୁ ଗାଳିଗୁଲଜ କରିଥିବା ଯୁବକଙ୍କୁ ଖଣ୍ଡଗିରି ଥାନା ପୋଲିସ ଗିରଫ କରିଛି। ଅଭିଯୁକ୍ତ ଜଣକ ହେଲେ ବରମୁଣ୍ଡା ଜଗନ୍ନାଥ ବିହାର ଅଞ୍ଚଳର ଅକୁ ପ୍ରଧାନ ଓରଫ ବଳ। ସୂଚନା ମୁତାବକ, ମଙ୍ଗଳବାର ଅପରାହ୍ନରେ ମୋ ବସ୍‌ ବରମୁଣ୍ଡାରୁ ଖଣ୍ଡଗିରି ଆସୁଥିବାବେଳେ ବିନା ଷ୍ଟପେଜରେ ରାସ୍ତା ମଝିରେ ଅଭିଯୁକ୍ତ ଅକୁ ବସ୍‌ ଆଗରେ ଠିଆ ହୋଇ ଅଟକାଇଥିଲେ। ଏନେଇ ବସ୍‌ ଡ୍ରାଇଭର ବିରକ୍ତି ଭାବ ପ୍ରକାଶ କରିବାରୁ ଅକୁ ତାଙ୍କୁ ଗାଳିଗୁଲଜ କରିଥିଲେ। ଏହାକୁ ବସ୍‌ର ମହିଳା ଯାତ୍ରୀ ସବିତା ମଲ୍ଲିକ ବାରଣ କରିବାରୁ ଅଭିଯୁକ୍ତ ତାଙ୍କୁ ମଧ୍ୟ ଖରାପ ଭାଷାରେ ଗାଳିଗୁଲଜ କରିଥିଲେ। ବସ୍‌ ଡ୍ରାଇଭର ଓ କଣ୍ଡକ୍ଟର ଏହାକୁ ବିରୋଧ କରିବାରୁ ଅଭିଯୁକ୍ତ ଅକୁ ଡ୍ରାଇଭରଙ୍କୁ ମାଡ଼ ମାରିଥିଲେ। ଖଣ୍ଡଗିରି ଥାନା ସମ୍ମୁଖରେ ଡ୍ରାଇଭର ବସ୍‌କୁ ଅଟକାଇବା ସହ ସମସ୍ତ ଯାତ୍ରୀ ଅଭିଯୁକ୍ତଙ୍କୁ କାବୁ କରି ପୋଲିସ ଜିମାରେ ଦେଇଥିଲେ। ମହିଳା ଯାତ୍ରୀ ସବିତା ଏନେଇ ଥାନାରେ ଅଭିଯୋଗ କରିବା ପରେ ପୋଲିସ ୪୧/୧୯ରେ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରି ପଚରାଉଚରା ପରେ ବୁଧବାର କୋର୍ଟ ଚାଲାଣ କରିଥିଲା।

Share