ମୋ ବସ୍‌: ଅଫ୍‌ଲାଇନ୍‌ରେ ମ୍ୟାଜିକ୍‌ ପାସ୍‌,ଖୁବ୍‌ ଶୀଘ୍ର ପୁରୀକୁ ସେବା

ଭୁବନେଶ୍ୱର,୧୫ା୮(ବ୍ୟୁରୋ):ସ୍ବାଧୀନତା ଦିବସ ଅବସରରେ ‘ମୋ ବସ୍‌’ ସେବା ପ୍ରଦାନ କରୁଥିବା କ୍ୟାପିଟାଲ ରିଜିଅନ୍‌ ଅର୍ବାନ ଟ୍ରାନ୍ସପୋର୍ଟ ଲିମିଟେଡ୍‌ (କ୍ରୁଟ୍‌) ପକ୍ଷରୁ ଫ୍ରିଡମ୍‌ ମାସିକିଆ ପାସ୍‌ର ଶୁଭାରମ୍ଭ ହେବ। ଏଣିକି ଅଫଲାଇନ୍‌ରେ ମଧ୍ୟ ଏହି ସେବା ଉପଲବ୍ଧ ହେବ ବୋଲି କ୍ରୁଟର ପରିଚାଳନା ନିର୍ଦ୍ଦେଶକ ଆଇପିଏସ୍‌ ଅଫିସର ଅରୁଣ ବୋଥ୍ରା କହିଛନ୍ତି। ବୁଧବାର ଅପରାହ୍ନରେ ବିଏମ୍‌ସି ମୁଖ୍ୟାଳୟରେ ଆୟୋଜିତ ଖବରଦାତା ସମ୍ମିଳନୀରେ ବୋଥ୍ରା କହିଥିଲେ, ଭୁବନେଶ୍ୱରରେ ଥିବା ମୋ’ ବସ୍‌ ଡିପୋ ଓ ବସ୍‌ ରହଣି ସ୍ଥାନ ଯଥା ମାଷ୍ଟରକ୍ୟାଣ୍ଟିନ୍‌, ଫାୟାର ଷ୍ଟେଶନ, ରସୁଲଗଡ, ବାଣୀବିହାର, କିଟ୍‌ (ବିଗ୍‌ ବଜାର) ଛକରେ ଗୁରୁବାରଠାରୁ ଫ୍ରିଡମ୍‌ ମାସିକିଆ ପାସ୍‌ କିୟୋସ୍କର ଶୁଭାରମ୍ଭ କରାଯିବ। ସରକାରୀ କାର୍ଯ୍ୟ ଦିବସଗୁଡିକରେ ସକାଳ ୯ଟାରୁ ରାତି ୭ଟା ଯାଏ ପାସ୍‌ ପ୍ରଦାନର ବ୍ୟବସ୍ଥା କରାଯାଇଛି। ଯେଉଁମାନେ ଆସନ୍ତା ୩୧ ତାରିଖ ସୁଦ୍ଧା ଏହି ପାସ୍‌ କ୍ରୟ କରିବେ ସେମାନେ ବସ୍‌ ଭଡାରେ ୨୫ ପ୍ରତିଶତ ରିହାତି ପାଇବା ସହ ଅତିରିକ୍ତ ୫ ଦିନର ବୈଧତା ହାସଲ କରିପାରିବେ। ଏହାଛଡ଼ା ସ୍ବାଧୀନତା ଦିବସର ଉପହାର ସ୍ବରୂପ ଏକ ମାଗଣା ଆଇସିଆଇସିଆଇ ଓଡେଶୀ କାର୍ଡ ମଧ୍ୟ ପ୍ରଦାନ କରାଯିବ। କାର୍ଡ ପାଇଁ ଯାତ୍ରୀଙ୍କୁ ଏକ ଷ୍ଟାମ୍ପ୍‌ ସାଇଜ୍‌ ଫଟୋ, ପରିଚୟ ପତ୍ର ଏବଂ ନଗଦ ଟଙ୍କା କିମ୍ବା ଏଟିଏମ୍‌ କାର୍ଡ୍‌ ସହ ଆସିବା ଆବଶ୍ୟକ। ଫ୍ରିଡମ୍‌ ମାସିକିଆ ଭୁବନେଶ୍ୱର ପାସ୍‌ ପାଇଁ ଶୀତତାପ ନିୟନ୍ତ୍ରିତ ବସ୍‌ ଭଡା ୯ ଶହ ଟଙ୍କା ଓ ବିନା ଶୀତତାପ ନିୟନ୍ତ୍ରିତ ବସ୍‌ ଭଡା ୬ ଶହ ଟଙ୍କା ରହିଛି। ଫ୍ରିଡମ୍‌ ମାସିକିଆ ମ୍ୟାଜିକ୍‌ ପାସ୍‌ ପାଇଁ ଯଥାକ୍ରମେ ୧୮ଶହ ଓ ୧୨ଶହ ଟଙ୍କା ରଖାଯାଇଛି। ତେବେ ପୁରୀକୁ ଖୁବ୍‌ଶୀଘ୍ର ମୋ ବସ୍‌ ଗଡ଼ିବ ବୋଲି ବୋଥ୍ରା କହିଛନ୍ତି। ଆଇସିଆଇସିଆଇ ବ୍ୟାଙ୍କ ଓଡ଼ିଶା ଓ ଛତିଶଗଡ ଆଞ୍ଚଳିକ ମୁଖ୍ୟ ପ୍ରଦୋଷ ରାଉତ, କ୍ରୁଟର ମ୍ୟାନେଜର ଦୀପ୍ତି ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।