ମୋ’ ବସ୍‌ ଓ ଘରୋଇ ବସ୍‌ କର୍ମଚାରୀଙ୍କ ମଧ୍ୟରେ ବିବାଦ: ୩ ଘଣ୍ଟା ବନ୍ଦ ରହିଲା ବସ୍‌ ଚଳାଚଳ

ଭୁବନେଶ୍ୱର,୨୭।୧୨(ବ୍ୟୁରୋ): ମାଷ୍ଟରକ୍ୟାଣ୍ଟିନ ବସ୍‌ଷ୍ଟାଣ୍ଡରେ ଗୁରୁବାର ମୋ’ ବସ୍‌ କର୍ମଚାରୀ ଓ ଘରୋଇ ବସ୍‌ କର୍ମଚାରୀଙ୍କ ମଧ୍ୟରେ ବିବାଦ ଘଟି ଉତ୍ତେଜନା ସୃଷ୍ଟି ହୋଇଥିଲା। ଫଳରେ ପ୍ରାୟ ୩ ଘଣ୍ଟା ଧରି ବସ୍‌ ଚଳାଚଳ ବନ୍ଦ ରହିବାରୁ ଯାତ୍ରୀଙ୍କୁ ହଇରାଣ ହେବାକୁ ପଡ଼ିଥିଲା। ଘଟଣାସ୍ଥଳରେ କ୍ୟାପିଟାଲ ଥାନା ଅଧିକାରୀ ଗିରିଜା ଶଙ୍କର ଚକ୍ରବର୍ତ୍ତୀ ଏବଂ ମୋ’ ବସ୍‌ କର୍ତ୍ତୃପକ୍ଷ ପହଞ୍ଚି ଆଲୋଚନା କରିବା ପରେ ବସ୍‌ ଚଳାଚଳ ସ୍ବାଭାବିକ ହୋଇଥିଲା।
ସୂଚନା ମୁତାବକ, ମାଷ୍ଟରକ୍ୟାଣ୍ଟିନ ବସ୍‌ଷ୍ଟାଣ୍ଡରୁ ପ୍ରତିଦିନ ଶହ ଶହ ସଂଖ୍ୟାରେ ଉଭୟ ଘରୋଇ ଏବଂ ମୋ’ ବସ୍‌ ଯାତ୍ରୀ ଉଠାଇ ରାଜଧାନୀ ଓ ଉପକଣ୍ଠ ଜିଲାକୁ ଯାତାୟାତ କରୁଛି। ତେବେ ବସ୍‌ରେ ଯାତ୍ରୀ ଉଠାଇବା, ଭଡ଼ା, ପାର୍କିଂ ଏବଂ ବସ୍‌ଷ୍ଟାଣ୍ଡରୁ ବାହାରିବା ସମୟକୁ ନେଇ ଅନେକ ସମୟରେ ବଚସା ଘଟୁଛି। ଏ ନେଇ ଗୁରୁବାର ଘରୋଇ ବସ୍‌ କର୍ମଚାରୀ ଏବଂ ମୋ’ ବସ୍‌ କର୍ମଚାରୀଙ୍କ ମଧ୍ୟରେ ପ୍ରଥମେ ବଚସା ଓ ପରେ ବିବାଦ ବଢିଥିଲା। ଫଳରେ ଘରୋଇ ବସ୍‌ କର୍ମଚାରୀମାନେ ଷ୍ଟାଣ୍ଡରେ ଧାରଣା ଦେଇଥିଲେ। ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହେବାରୁ ଉଭୟ ପକ୍ଷରୁ ବସ ଚଳାଚଳ ବନ୍ଦ ରଖାଯାଇଥିଲା। ମୋ’ ବସ୍‌ କର୍ତ୍ତୃପକ୍ଷ ଏବଂ ଘରୋଇ ବସ୍‌ କର୍ମଚାରୀଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ଆଲୋଚନା ପରେ ପରିସ୍ଥିତି ସ୍ବାଭାବିକ ହୋଇଥିଲା।

Share