‘ମୋ ବସ୍‌’ ଯାତ୍ରୀ ସଂଖ୍ୟା ଲକ୍ଷେ ଛୁଇଁଲା

ଭୁବନେଶ୍ୱର,୧୬।୧୦(ବ୍ୟୁରେ): ଗୋଟିଏ ଦିନରେ ‘ମୋ ବସ୍‌’ ଯାତ୍ରୀ ସଂଖ୍ୟା ଏକ ଲକ୍ଷ ଛୁଇଁଲା। ସୋମବାର ‘ମୋ ବସ୍‌’ରେ ୧୦୧୮୮୧ ଜଣ ଯାତ୍ରୀ ଯାତ୍ରା କରିଥିଲେ। ଯାହା ‘ମୋ ବସ୍‌’ ଆରମ୍ଭ ହେବା ଦିନଠାରୁ ସର୍ବକାଳୀନ ରେକର୍ଡ। ଏହା ଦ୍ୱାରା ‘ମୋ ବସ୍‌’ ସହର ଭିତରେ ମୁଖ୍ୟ ଯୋଗାଯୋଗ ମାଧ୍ୟମ ବନିଛି ବୋଲି ପରିଚାଳନା ସଂସ୍ଥା କ୍ରୁଟ ପକ୍ଷରୁ କୁହାଯାଇଛି। ଦୈନିକ ‘ମୋ ବସ୍‌’ରେ ୭୦ ହଜାରରୁ ୮୦ ହଜାର ଯାତ୍ରୀ ଯାତ୍ରା କରିଥାନ୍ତି। ନୂଆ ମୋଟରଯାନ ଆଇନ ଲାଗୁ ହେବା ପରେ ଅପ୍ରତ୍ୟାଶିତ ଭାବେ ଏହି ସଂଖ୍ୟାରେ ବୃଦ୍ଧି ପାଇ ସେପ୍ଟେମ୍ବର ମାସରେ ୯୪ ହଜାର ଓ ୯୭ ହଜାରରେ ପହଞ୍ଚତ୍ଥିଲା। ଦୈନିକ ବୃଦ୍ଧି ପାଉଥିବା ଯାତ୍ରୀ ସଂଖ୍ୟାକୁ ନେଇ ଖୁସି ଜାହରି କରିଛି କ୍ରୁଟ୍‌। ଫନି ବାତ୍ୟା ପରେ ମେ ମାସରେ ଯାତ୍ରୀଙ୍କ ସଂଖ୍ୟା ବହୁତ କମିଥିଲା। ଦୈନିକ ୩୦ରୁ ୩୫ ହଜାର ଯାତ୍ରୀ ଗମନାଗମନ କରୁଥିଲେ। ଫଳରେ ରାଜସ୍ବ ମଧ୍ୟ କମି ୫ ଲକ୍ଷରେ ପହଞ୍ଚତ୍ଥିଲା। ୩ ମାସର ଅବିରତ ପରିଶ୍ରମ ଆମକୁ ଏହି ସୁଫଳ ଦେଇଛି ବୋଲି ଜେନେରାଲ ମ୍ୟାନେଜର ଦୀପ୍ତି ମହାପାତ୍ର କହିଛନ୍ତି। ଲକ୍ଷ୍ୟ ଧାର୍ଯ୍ୟ ସମୟର ଦୁଇ ମାସ ଆଗରୁ ସ୍ବପ୍ନ ସତ ହୋଇଛି ବୋଲି ଦୀପ୍ତି କହିଛନ୍ତି। ଡିସେମ୍ବର ସୁଦ୍ଧା ‘ମୋ ବସ୍‌’ରେ ଭୁବନେଶ୍ୱର, ଖୋର୍ଦ୍ଧା କଟକ ଭିତରେ ଏକ ଲକ୍ଷ ଯାତ୍ରୀ ଛୁଇଁବାକୁ ଏକ ଟାର୍ଗେଟ ସ୍ଥିର କରାଯାଇଥିଲା। ହେଲେ ‘ମୋ ବସ୍‌’ ସେବାର ବର୍ଷେ ପୂରିବା ପୂର୍ବରୁ ଲକ୍ଷ ହାସଲ ହୋଇଛି ବୋଲି କ୍ରୁଟ ପକ୍ଷରୁ କୁହାଯାଇଛି। ବର୍ତ୍ତମାନ ୨୦୦ଟି ବସ୍‌ ଚାଲୁଥିବା ବେଳେ ଆଗକୁ ଆହୁରି ୫୦ଟି ପୁରୁଣା ବସ୍‌ ଏଥିରେ ସାମିଲ ହେବ। ୩୦ଟି କଟକ, ବାଲେଶ୍ୱର ୧୦ ଓ ଭୁବନେଶ୍ୱରରେ ୧୦ଟି ବସ୍‌ ଚାଲିବ ବୋଲି କୁହାଯାଇଛି।

Share