‘ମୋ ବସ୍‌’ ଷ୍ଟପ୍‌ରେ ପାର୍କିଂ, କାର୍‌ ନମ୍ବରରେ ଚାଲାଣ

ଭୁବନେଶ୍ୱର,୭।୧୨(ବ୍ୟୁରୋ): ସହରରେ ଥିବା ବିଭିନ୍ନ ‘ମୋ ବସ୍‌’ ଷ୍ଟପ୍‌ ଓ ଏହା ସମ୍ମୁଖରେ ଲୋକେ ବେଆଇନ ଭାବେ ଗାଡ଼ି ପାର୍କିଂ କରୁଛନ୍ତି। ଏଥିଯୋଗୁ ବସ୍‌ ଚଳାଚଳ ଓ ଯାତ୍ରୀମାନେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏ ସଂକ୍ରାନ୍ତରେ ମୋ ବସ୍‌ ପରିଚାଳନା କରୁଥିବା କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ୍‌) ପକ୍ଷରୁ ଟ୍ରାଫିକ ଡିସିପି ସାଗରିକା ନାଥଙ୍କୁ ଟୁଇଟ୍‌ କରାଯିବା ପରେ ପଦକ୍ଷେପ ଆରମ୍ଭ ହୋଇଛି। ଶୁକ୍ରବାର ପ୍ରଥମ ଦିନରେ ପୋଲିସ ଏକାଧିକ ମୋ ବସ୍‌ ଷ୍ଟପ୍‌ରେ ଯାଞ୍ଚ କରିଛି। କିମ୍ସ ହସ୍ପିଟାଲ ‘ମୋ ବସ୍‌’ ଷ୍ଟପ୍‌ରେ ବହୁ ସମୟ ଧରି ବେଆଇନ ଭାବେ ପାର୍କିଂ କରାଯାଇଥିବା ଏକ କାର୍‌ (ଓଡି୦୫ଏକ୍ୟୁ-୮୩୫୬) ଉପରେ ଜରିମାନା ହୋଇଛି। ଉକ୍ତ ଗାଡ଼ି ନମ୍ବରରେ ଚାଲାଣ କଟାଯାଇ ମାଲିକଙ୍କ ନିକଟକୁ ପଠାଇ ଦିଆଯାଇଛି। ତେବେ ଏସବୁ ପଦକ୍ଷେପ ସଂକ୍ରାନ୍ତରେ ଡିସିପି ନାଥ ଟୁଇଟ୍‌ କରି କ୍ରୁଟ୍‌ କର୍ତ୍ତୃପକ୍ଷଙ୍କୁ ଅବଗତ କରିଛନ୍ତି।
ଡିସିପି କହିଛନ୍ତି, ମୋ ବସ୍‌ ଷ୍ଟପ୍‌ରେ ବେଆଇନ୍‌ ପାର୍କିଂ କରୁଥିବା ଗାଡି ଚାଳକ ଓ ମାଲିକଙ୍କ ବିରୋଧରେ ଆହୁରି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଆଗକୁ ଧରପଗଡ ଜୋର୍‌ଦାର ହେବ। ଗାଡ଼ି ନମ୍ବରରେ ମାଲିକଙ୍କ ଘରକୁ ଚାଲାଣ ପଠାଯିବ। ତେବେ ଅନେକ ଲୋକ ଏନେଇ ଜାଣି ନ ଥିବାରୁ ସୂଚନା ଫଳକ ଲଗାଯାଇ ସଚେତନ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।
ଅନ୍ୟପକ୍ଷରେ କେବଳ ‘ମୋ ବସ୍‌’ ଷ୍ଟପ୍‌ ନୁହେଁ, ରାଜଧାନୀର ଅନେକ ରାସ୍ତା କଡରେ ବେଆଇନ ପାର୍କିଂ କରାଯାଉଛି। ରାସ୍ତା ପାର୍ଶ୍ୱ ଫାଷ୍ଟଫୁଡ୍‌ ଦୋକାନ ଆଗରେ ଅଧିକ ଗାଡ଼ିମୋଟର ଭିଡ଼ ଲାଗୁଛି। ଫଳରେ ରାସ୍ତା ସଙ୍କୁଚିତ ହେବା ସହ ଯାତାୟାତ ବାଧାପ୍ରାପ୍ତ ହେଉଛି। ଅଟୋ ଓ ଘରୋଇ ବସ୍‌ ରାସ୍ତା ଉପରେ ଛିଡାହୋଇ ଯାତ୍ରୀ ଉଠାଉଥିବାରୁ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି। ଏହା ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହେବାର ଆବଶ୍ୟକତା ରହିଛି।

Share