Categories: ଖେଳ

‘ ମୋ ସମୟରେ ଟେଷ୍ଟ ଚାମ୍ପିୟନଶିପ୍‌ ହୋଇଥାନ୍ତା କି’

ଦୁବାଇ, ୨|୮-ମୋ ସମୟରେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ହୋଇଥାନ୍ତା କି, ମୋ ମନରେ ବର୍ତ୍ତମାନ ଏ ବିଷୟ ଉଙ୍କି ମାରୁଛି। ଏକଥା କହିଛନ୍ତି, ଅଷ୍ଟ୍ରେଲିଆ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ଷ୍ଟିଭ ଓ୍ବ’। ମୁଁ ଅଧିନାୟକ ଥିବାବେଳେ ଆମ ଦଳ ୧୯୯୯ ଓ ୨୦୦୧ ମଧ୍ୟରେ କ୍ରମାଗତ ୧୬ ଟେଷ୍ଟ ମ୍ୟାଚ ଜିତିଥିଲା। ଏହା ଏକ ଚମତ୍କାର ସଫଳତା। ଏଥିପାଇଁ ମୋ ଦଳର ଖେଳାଳିଙ୍କୁ ନେଇ ଗର୍ବ ଅନୁଭବ କରୁଛି। ୨୦୦୧ରେ ପ୍ରତ୍ୟେକ ଆମକୁ ବିଶ୍ୱର ନମ୍ବର ଓ୍ବାନ ଦଳ ବୋଲି ଆଖ୍ୟା ଦେଇଥିଲେ। ମାତ୍ର ଏହାର ପ୍ରକୃତ ପ୍ରମାଣ ନ ଥିଲା। ଆମେ ସେତେବେଳେ ଏକ ଫାଇନାଲ ଚାହୁଁଥିଲୁ। ଏଥିରେ ବିଜୟ ଲାଭ କରି ଟ୍ରଫି ହାସଲ କରିବା ଆମ ପାଇଁ ଏକ ସୁଯୋଗ ରହିଥିଲା। ଟି୨୦, ୫୦ ଓଭର କ୍ରିକେଟରେ ବିଶ୍ୱ କପ୍‌ ହେଉଛି। ଟେଷ୍ଟରେ ଅବା କାହିଁକି ନ ହେବ। ମୁଁ ଏବେବି ଟେଷ୍ଟକୁ କ୍ରିକେଟର ଶ୍ରେଷ୍ଠ ଫର୍ମାଟ ବୋଲି କହିବି। ଓ୍ବ’ କହିଛନ୍ତି, ଟେଷ୍ଟ ଚାମ୍ପିୟନଶିପ୍‌ ଆରମ୍ଭକୁ ମୁଁ ଉତ୍କଣ୍ଠାର ସହିତ ଅପେକ୍ଷା କରିରହିଛି। ଏଥିସହିତ ମୋ ମନରେ ସାମାନ୍ୟ ଈର୍ଷା ଭାବ ସୃଷ୍ଟି ହେଉଛି। ସୁଯୋଗ ଥାଇ ମଧ୍ୟ ମୁଁ ଟେଷ୍ଟ ବିଶ୍ୱ ଚାମ୍ପିୟନଶିପ୍‌ ଟ୍ରଫି ହାତରେ ଧରି ପାରିଲି ନାହିଁ। ମୋ ହିସାବରେ ଅଷ୍ଟ୍ରେଲିଆ, ଭାରତ ଓ ଇଂଲଣ୍ଡ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ର ଉଦ୍‌ଘାଟନୀ ସଂସ୍କରଣ ପ୍ରମୁଖ ଟାଇଟଲ ଦାବିଦାର। ଅଷ୍ଟ୍ରେଲିଆରେ ଏବେ ମଧ୍ୟ ଟେଷ୍ଟ କ୍ରିକେଟ ପ୍ରତି ବେଶି ଆଗ୍ରହ ରହିଛି। ତେଣୁ ଅଷ୍ଟ୍ରେଲିଆ ଟାଇଟଲ ଜିତିବା ଲାଗି ନିଶ୍ଚୟ ଚେଷ୍ଟା କରିବ।

Share