‘ମୋ ସରକାର’ରେ ସାମିଲ ହେଲା ଶିଳ୍ପ, ଏମ୍‌ଏସ୍‌ଏମ୍‌ଇ ବିଭାଗ

ଭୁବନେଶ୍ୱର,୧୭ା୧(ବ୍ୟୁରୋ): ଶିଳ୍ପ ବିଭାଗ ଏବଂ ସୂକ୍ଷ୍ମ, କ୍ଷୁଦ୍ର, ମଧ୍ୟମ ଉଦ୍ୟୋଗ ବିଭାଗ (ଏମ୍‌ଏସ୍‌ଏମ୍‌ଇ) ‘ମୋ ସରକାର’ରେ ସାମିଲ ହେଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଲୋକସେବା ଭବନଠାରେ ଅନୁଷ୍ଠିତ ଏକ ସ୍ବତନ୍ତ୍ର ଉତ୍ସବରେ ଏହା ଘୋଷଣା କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମୋ ସରକାର ଲକ୍ଷ୍ୟ ଅନୁଯାୟୀ ଏହି ଦୁଇଟି ବିଭାଗ ନୂତନ ଉତ୍ତରଦାୟିତ୍ୱ ନେବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇଛି। ଗତ ଅକ୍ଟୋବର ୨ ତାରିଖରେ ମୋ ସରକାର ଘୋଷଣା କରାଯାଇଥିଲା। ସେତେବେଳେ ଗୃହ ଏବଂ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକୁ ସାମିଲ କରାଯାଇଥିଲା। ପରେ ଅନ୍ୟ ବିଭାଗଗୁଡିକୁ ଏଥିରେ ସାମିଲ କରାଯାଉଛି। ସମସ୍ତ ସରକାରୀ କର୍ମଚାରୀ ମୋ ସରକାରର ମୂଳ ଲକ୍ଷ୍ୟ ବିଷୟରେ ସଚେତନ ନିଶ୍ଚିତ ହୋଇଯାଇଥିବେ। ବ୍ରିଟିଶ ଶାସନ ସମୟରୁ ମୌଳିକ ମନସ୍ତାତ୍ତ୍ୱିକ ସାଧାରଣ ସେବା ବ୍ୟବସ୍ଥାରେ ପ୍ରଚଳିତ ହୋଇ ଆସୁଥିଲା। ବଜାର ଅର୍ଥନୀତିରେ ଗରାଖ ଯେପରି ରାଜା, ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାରେ ଲୋକମାନେ ସେହି ସ୍ଥାନର ଅଧିକାରୀ। ଲୋକମାନଙ୍କର ସେବା କରିବାକୁ ଆମେ ରହିଛୁ। ଏହାକୁ ଯଦି ମୂଳନୀତି ଧରାଯିବ ତେବେ ପେସା, ଦକ୍ଷତା ଓ ସ୍ବଚ୍ଛତା ଆପେ ଆପେ ତାକୁ ଅନୁସରଣ କରିବ। ଶିଳ୍ପ ଓ ଏମ୍‌ଏସ୍‌ଏମ୍‌ଇ ବିଭାଗ ମେକ୍‌ ଇନ ଓଡ଼ିଶା ଭଳି ନୂତନ ଚିନ୍ତାଧାରା ଆପଣାଇଛି। ଦୁଇଟି ମେକ୍‌ ଇନ ଓଡ଼ିଶା କାର୍ଯ୍ୟକ୍ରମ ଯୋଗୁ ରାଜ୍ୟରେ ୬ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ ପାଇଁ ଆଗ୍ରହ ପ୍ରକାଶ ପାଇଛି। ନିକଟରେ ଓଡ଼ିଶା ଏକ ପୁଞ୍ଜିନିବେଶ ପାଇଁ ଉତ୍କୃଷ୍ଟ କ୍ଷେତ୍ରରେ ପରିଣତ ହୋଇପାରିଛି। ୨୦୧୯ ଏପ୍ରିଲରୁ ସେପ୍ଟେମ୍ବର ମଧ୍ୟରେ ଦେଶର ମୋଟ ପୁଞ୍ଜିନିବେଶର ୧୮ ପ୍ରତିଶତ ଓଡ଼ିଶାକୁ ଆସିପାରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି ଅବସରରେ ଶିଳ୍ପମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର କହିଥିଲେ ଯେ, ଏହା ପୁଞ୍ଜିନିବେଶକାରୀଙ୍କୁ ଅଧିକ ଆକୃଷ୍ଟ କରିପାରିବ। ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀ କହିଥିଲେ, ଶିଳ୍ପ ବିଭାଗର ଅଧିକାରୀମାନେ ଅଧିକ ମିଳିତ ଭାବେ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି। ୫-ଟି ସଚିବ ଭି.କେ. ପାଣ୍ଡିଆନ କଳାହାଣ୍ଡି, କଟକ, ଯାଜପୁର, ଅନୁଗୋଳ ଜିଲା ଶିଳ୍ପକେନ୍ଦ୍ରର ମ୍ୟାନେଜର ଏବଂ ରାଉରକେଲା, ସମ୍ବଲପୁର ଓ ଗଜପତି ଜିଲାର ଇଡ୍‌କୋ ମ୍ୟାନେଜରଙ୍କ ସହ ମୋ ସରକାରର ଆଭିମୁଖ୍ୟ ନେଇ ଆଲୋଚନା କରିଥିଲେ।

Share