‘ମୋ ସରକାର’ କାର୍ଯ୍ୟକ୍ରମ ପାଇଁ ଡିଜିପିଙ୍କ କଲ୍‌ସେଣ୍ଟର ପରିଦର୍ଶନ: ୩ ଅଭିଯୋଗକାରୀଙ୍କଠାରୁ ରିପୋର୍ଟ ନେଲେ

ଭୁବନେଶ୍ୱର,୨୫-୯(ବ୍ୟୁରୋ):ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରୁ ‘ମୋ ସରକାର’ କାର୍ଯ୍ୟକ୍ରମ ଆରମ୍ଭ କରାଯିବ। ଥାନାରେ ସ୍ବଚ୍ଛତା ଆସିବ। ମିଳିବ ନ୍ୟାୟ ଓ ପୋଲିସର ଉତ୍ତମ ବ୍ୟବହାର। ଏନେଇ ରାଜ୍ୟ ପୋଲିସ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଥାନାଗୁଡିକୁ ଆସୁଥିବା ଅଭିଯୋଗକାରୀଙ୍କଠାରୁ ଥାନା ରିପୋର୍ଟ ପ୍ରସ୍ତୁତ ଚାଲିଛି। ମଙ୍ଗଳବାର ରସୁଲଗଡ଼ସ୍ଥିତ ଷ୍ଟେଟ୍‌ କ୍ରାଇମ୍‌ ରେକର୍ଡ ବ୍ୟୁରୋ ଅଫିସରେ ଥିବା ରାଜ୍ୟସ୍ତରୀୟ କଲ୍‌ସେଣ୍ଟରକୁ ଡିଜିପି ବି.କେ. ଶର୍ମା ପରିଦର୍ଶନରେ ଆସି ଅଭିଯୋଗ ସଂକ୍ରାନ୍ତରେ କର୍ମଚାରୀଙ୍କ ସହ ଆଲୋଚନା କରିଛନ୍ତି। ଏଥିସହ ୩ ଥାନା ଯଥା ଭୁବନେଶ୍ୱରର ଧଉଳି, ନୟାଗଡ଼ ଓ ନବରଙ୍ଗପୁର ଥାନାକୁ ଆସିଥିବା ଜଣେ ଲେଖାଏ ଅଭିଯୋଗକାରୀଙ୍କ ସହ ସିଧାସଳଖ କଥାହୋଇ ରିପୋର୍ଟ ନେଇଛନ୍ତି। ଏଥିସହ ପୋଲିସର ବ୍ୟବହାର, ସେବା ଆଦି ସଂକ୍ରାନ୍ତରେ ପଚାରି ମାର୍କ ଦେବାକୁ କହିଥିଲେ। ତେବେ ଅଧିକାଂଶ ଅଭିଯୋଗକାରୀ ପୋଲିସର ବ୍ୟବହାରକୁ ନେଇ ଅସନ୍ତୋଷ ଜଣାଇଥିଲେ।
ଡିଜିପି ଶର୍ମା କଲ୍‌ସେଣ୍ଟରରୁ ବାହାରିବା ପରେ ଗଣମାଧ୍ୟମକୁ କହିଥିଲେ ଯେ, ରାଜ୍ୟ ସରକାରଙ୍କ ‘ମୋ ସରକାର’ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ପୋଲିସ ଅଫିସରଙ୍କୁ ଟ୍ରେନିଂ ଦିଆଯାଇଛି। ସେହିପରି ଲୋକଙ୍କଠାରୁ ଫିଡ୍‌ବ୍ୟାକ୍‌ ଗ୍ରହଣ କରାଯାଉଛି। ଜିଲା, ରେଞ୍ଜ୍‌ ଓ ରାଜ୍ୟସ୍ତରରେ ଫିଡ୍‌ବ୍ୟାକ୍‌ ଗ୍ରହଣ କରାଯିବା ସହ ତର୍ଜମା କରାଯାଉଛି। ରାଜ୍ୟସ୍ତରର ଫିଡ୍‌ବ୍ୟାକ୍‌ ଷ୍ଟେଟ୍‌ କ୍ରାଇମ୍‌ ରେକର୍ଡ ବ୍ୟୁରୋରେ ଗ୍ରହଣ କରାଯାଉଛି। ଥାନାକୁ ଯାଇଥିବା ୩ଜଣ ବ୍ୟକ୍ତିଙ୍କୁ ସେମାନଙ୍କ ଅନୁଭୂତି ସମ୍ପର୍କରେ ପଚାରି ବୁଝିବା ସହ ଫିଡ୍‌ବ୍ୟାକ ଗ୍ରହଣ କରିଥିଲି। ତେବେ ବିଭିନ୍ନ ସମୟରେ ଅଭିଯୋଗକାରୀଙ୍କ ସହ ଯୋଗାଯୋଗବେଳେ ଅଧିକାଂଶ ପ୍ରଥମେ କହିବାକୁ ସଙ୍କୋଚ କରୁଛନ୍ତି। ସେମାନଙ୍କୁ ଧିରେ ଧିରେ ପଚାରିଲେ ସବୁକିଛି କହୁଛନ୍ତି। ଯେଉଁ ଥାନା ଅଧିକାରୀଙ୍କ ସପକ୍ଷରେ ମାର୍କ ଆସିବ ତାଙ୍କୁ ପୁରସ୍କାର ମିଳିବ ଓ ଅଭିଯୋଗ ଆସିଲେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ଏହି ବ୍ୟବସ୍ଥା ଦ୍ୱାରା ଥାନାରେ ସ୍ବଚ୍ଛତା ଆସିପାରିବ ବୋଲି ଡିଜିପି କହିଛନ୍ତି।

Share