ଅନୁଗୋଳ ଅଫିସ, ୧୪ା୧୦: ରାଜ୍ୟ ସରକାରଙ୍କ ‘ମୋ ସରକାର’ କାର୍ଯ୍ୟକ୍ରମ ଆରମ୍ଭ ପରେ ମେଡିକାଲ, ଥାନା ଓ ସରକାରୀ କାର୍ଯ୍ୟାଳୟରେ କିପରି ସେବା ଯୋଗାଇ ଦିଆଯାଉଛି ତାହାର ଅନୁଧ୍ୟାନ କରୁଛନ୍ତି ବଡ଼ ବଡ଼ିଆ ଅଧିକାରୀ। ଏସ୍ପିଙ୍କଠାରୁ ଆରମ୍ଭ କରି ଜିଲାପାଳ, ବିଭିନ୍ନ ବିଭାଗର ସଚିବ ଏପରି କି ରାଜ୍ୟ ସରକାରଙ୍କ ୫-ଟି ସଚିବ ମଧ୍ୟ ଅଚାନକ ଅନୁଧ୍ୟାନରେ ଆସୁଛନ୍ତି। ଏହାକୁ ନଜରରେ ରଖି ସଜାଗ ହୋଇଯାଇଛନ୍ତି ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟ କର୍ତ୍ତୃପକ୍ଷ। ଶନିବାର ମେଡିକାଲ ପରିଦର୍ଶନ ବେଳେ ଜିଲାପାଳ ମନୋଜ କୁମାର ମହାନ୍ତି ଡାକ୍ତରଙ୍କ ଅନୁପସ୍ଥିତି ନେଇ ଅସନ୍ତୋଷ ପ୍ରକାଶ କରିଥିବାରୁ କାଳେ ରବିବାର କୌଣସି ଅଧିକାରୀ ଆସିପାରନ୍ତି, ତାହାକୁ ନେଇ କର୍ତ୍ତୃପକ୍ଷ ଏକପ୍ରକାର ଛାନିଆ ହୋଇପଡ଼ିଥିଲେ। ଦୀର୍ଘଦିନ ଧରି ଯେଉଁ କାମ ଅଧାପନ୍ତରିଆ ଅବସ୍ଥାରେ ପଡ଼ିଥିଲା ତାହାକୁ ତୁରନ୍ତ ପୂର୍ଣ୍ଣାଙ୍ଗ କରିଦେବା ସହ ରୋଗୀ ସେବା ଉପରେ ଆବଶ୍ୟକ ଧ୍ୟାନ ଦେଇଥିବା ଚର୍ଚ୍ଚାର ବିଷୟ ହୋଇଛି।
ରବିବାର ଛୁଟି ଦିନ ହୋଇଥିଲେ ବି ଜିଲା ମୁଖ୍ୟ ଚିକିତ୍ସାଳୟ କର୍ତ୍ତୃପକ୍ଷ ଓ କର୍ମଚାରୀମାନେ ମେଡିକାଲରେ ଉପସ୍ଥିତ ଥିବା ଦେଖାଯାଇଥିଲା। ଏପରି କି ମେଡିକାଲର ସ୍ବଚ୍ଛତା ଉପରେ ସେମାନେ ଗୁରୁତ୍ୱ ଦେବା ସହ ରୋଗୀଙ୍କୁ କିପରି ଉପଯୁକ୍ତ ଚିକିତ୍ସା ସେବା ମିଳିବ ତାହା ଉପରେ ତତ୍ପରତା ଦେଖାଉଥିବା ଲକ୍ଷ୍ୟ କରାଯାଇଥିଲା। ରୋଗୀଙ୍କ ଖାଇବା ଠାରୁ ଆରମ୍ଭ କରି ବେଡ୍ ପର୍ଯ୍ୟନ୍ତ ସବୁକିଛିରେ ପରିଷ୍କାର ପରିଚ୍ଛନ୍ନତା ପ୍ରତି ଦୃଷ୍ଟି ଦିଆଯାଉଥିଲା। ଜିଲା ମୁଖ୍ୟ ଚିକିତ୍ସାଧିକାରୀ (ସିଡିଏମ୍ଓ)ଙ୍କ କାର୍ଯ୍ୟାଳୟରେ ତାଲା ପଡ଼ିଥିଲେ ମଧ୍ୟ କିଛି ସମୟ ବ୍ୟବଧାନରେ କେତେଜଣ ଲୋକ ଆସି ସେଠାରେ ବୁଲିଯାଉଥିବା ଦେଖାଯାଇଥିଲା। ଅଧାପନ୍ତରିଆ ଅବସ୍ଥାରେ ମାସେ ହେବ ପଡ଼ିଥିବା ମୁଖ୍ୟ ଫାଟକ ସମ୍ମୁଖ ଆଉଟଡୋର ଗେଟ୍ କାମ ମାତ୍ର କିଛି ଘଣ୍ଟା ମଧ୍ୟରେ ସମ୍ପୂର୍ଣ୍ଣ କରିଦିଆଯାଇଥିଲା। ସେହିପରି କୌଣସି ୱାର୍ଡର ରୋଗୀ ଯେପରି କର୍ତ୍ତୃପକ୍ଷଙ୍କ ବିରୋଧରେ ଅଭିଯୋଗ ନ ଆଣିବେ ସେଥିପାଇଁ ଡାକ୍ତରଙ୍କ ଠାରୁ ନର୍ସଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ଆଚାର ବ୍ୟବହାରରେ ଅଚାନକ ପରିବର୍ତ୍ତନ ଦେଖାଯାଇଥିଲା। ସେମାନେ ରୋଗୀଙ୍କ ବେଡ୍ ନିକଟକୁ ଯାଇ ସୁବିଧା ଅସୁବିଧା ବୁଝୁଥିବା ଦେଖିବାକୁ ମିଳିଥିଲା। ପୂର୍ବରୁ ଲଗାଯାଇ ନ ଥିବା ମୋ ସରକାର ବୋର୍ଡକୁ ଅତ୍ୟନ୍ତ ତରବରିଆ ଭାବେ ମଧ୍ୟାହ୍ନରେ ଲଗାଇ ଦିଆଯାଇଥିଲା। କେବଳ ମେଡିକାଲ କର୍ତ୍ତୃପକ୍ଷ ନୁହନ୍ତି, ଆହାର କେନ୍ଦ୍ର ରବିବାର ବନ୍ଦ ଥିଲେ ବି ଏହାର ଚତୁଃପାର୍ଶ୍ୱକୁ ଦାୟିତ୍ୱରେ ଥିବା ସଂସ୍ଥା ପକ୍ଷରୁ ଭଲ ଭାବେ ସଫା କରାଯାଇଥିଲା। ସେହିପରି ଜିଲାପାଳଙ୍କ କାର୍ଯ୍ୟାଳୟ ସହ ବ୍ଲକ କାର୍ଯ୍ୟାଳୟ ଓ ଅନ୍ୟ ସରକାରୀ ଅଫିସ ଗୁଡ଼ିକରେ ସରକାରୀ ବାବୁମାନେ ଅପରାହ୍ନ ପର୍ଯ୍ୟନ୍ତ ସଜାଗ ରହିଥିବା ଦେଖିବାକୁ ମିଳିଥିଲା।