ଭାରତର ବିଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ ପରମ୍ପରା ରହିଛି। ଉତ୍ତର ପ୍ରଦେଶର କାନପୁରରେ ଥିବା ଏକ ମନ୍ଦିରରେ ଅଦ୍ଭୁତ ଦୃଶ୍ୟ ଦେଖିବାକୁ ମିଳେ। ଏଠାରେ ମୌସୁମୀ ପହଞ୍ଚିବା ପୂର୍ବରୁ ସଙ୍କେତ ମିଳିଯାଇଥାଏ। ମୌସୁମୀ ଆସିବାର ୭ ଦିନ ପୂର୍ବରୁ ମନ୍ଦିରର ଛାତରୁ ଆପେ ଛାଏଁ ପାଣି ଗଳେ। କାନପୁରର ବେହଟା ଗ୍ରାମରେ ଅଛି ଏହି ପ୍ରସିଦ୍ଧ ଜଗନ୍ନାଥଙ୍କ ମନ୍ଦିର। ପ୍ରାଚୀନ କାଳରୁ ଅବସ୍ଥିତ ଏହି ମନ୍ଦିରର ଗର୍ଭ ଗୃହରୁ ହଠାତ୍ ପାଣି ପଡିଥାଏ। ପାଣି ବୁନ୍ଦା ଯେତେ ବଡ ବର୍ଷା ସେତେ ଭଲ ହେବାର ମଧ୍ୟ ବିଶ୍ୱାସ ରହିଛି। ଏହାକୁ ଆଧାର କରି ସ୍ଥାନୀୟ କୃଷକ କ୍ଷେତରେ କାମ ଆରମ୍ଭ କରିଥାନ୍ତି। ସବୁଠୁ ଆଶ୍ଚର୍ଯ୍ୟ କଥା ହେଉଛି ପ୍ରବଳ ଖରା ସତ୍ତ୍ୱେ ମନ୍ଦିରରୁ ପାଣି ଗଳି ଥାଏ। ଏହି ମନ୍ଦିରରେ ପ୍ରଭୁ ଜଗନ୍ନାଥ ବଡ ଭାଇ ବଳଭଦ୍ର ଏବଂ ଦେବୀ ସୁଭଦ୍ରାଙ୍କ ସହ ଅବସ୍ଥାନ କରନ୍ତି। ଏହାର ରହସ୍ୟ ଜାଣିବା ପାଇଁ ଅନେକ ସର୍ବେକ୍ଷଣ କରାଯାଇଛି। କିନ୍ତୁ ଏହି ରହସ୍ୟର ପର୍ଦ୍ଦାଫାଶ ହୋଇପାରି ନାହିଁ।