ମୌସୁମୀ ଓଡ଼ିଶା ଛୁଇଁବା ପରେ ବିଭିନ୍ନ ସ୍ଥାନରେ ବର୍ଷା ଜାରି

ଭୁବନେଶ୍ୱର,୧୨।୬(ବ୍ୟୁରୋ): ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶାରେ ପହଞ୍ଚିବା ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ଶୁକ୍ରବାର ସକାଳୁ ବର୍ଷା ଆରମ୍ଭ ହୋଇଯାଇଛି। ଗତକାଲି ମାଲକାନଗିରି ଓ କୋରାପୁଟ ଜିଲାକୁ ମୌସୁମୀ ଛୁଇଁଥିବା ବେଳେ ଆଜି ଉପକୂଳ ଅଞ୍ଚଳର ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି। ଲଘୁଚାପ ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। କୋରାପୁଟ ଏବଂ ମାଲକାନଗିରି ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ଅରେଞ୍ଜ ଓ୍ବାର୍ନିଂ ଜାରି କରାଯାଇଛି।
ଏଥିସହିତ ୧୦ ଜିଲା ଗଞ୍ଜାମ, ଗଜପତି, ପୁରୀ, କନ୍ଧମାଳ, ରାୟଗଡ଼ା, କଳାହାଣ୍ଡି, ନବରଙ୍ଗପୁର, କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ୱରର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ପାଣିପାଗ ବିଭାଗ ପକ୍ଷରୁ ଏ ନେଇ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ଏହା ଛଡ଼ା ଉତ୍ତର ଆଭ୍ୟନ୍ତରୀଣ ଓଡ଼ଶା, ବାଲେଶ୍ୱର, ଭଦ୍ରକ, କଟକ, ଯାଜପୁର ଏବଂ ଖୋର୍ଦ୍ଧା ଜିଲାରେ ମଧ୍ୟ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି। ସେହିପରି ୧୨ ତାରିଖରେ ନବରଙ୍ଗପୁର ଏବଂ ନୂଆପଡା ଜିଲାର କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ଜଣାପଡ଼ିଛି। ଏହି ସମୟରେ କୋରାପୁଟ, କନ୍ଧମାଳ, ବଲାଙ୍ଗୀର ଏବଂ ଗଞ୍ଜାମ ଜିଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି ସତର୍କ ସୂଚନା ଜାରି କରାଯାଇଛି। ୧୪ ତାରିଖରୁ ବର୍ଷା ପରିମାଣ ହ୍ରାସ ପାଇବ। ପୁଣି ୧୭ରୁ ଦୁଇଦିନ ମୌସୁମୀଜନିତ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଲଘୁଚାପ ଯୋଗୁ ସମୁଦ୍ର ଅଶାନ୍ତ ରହିବ। ଉପକୂଳରେ ଘଣ୍ଟାକୁ ୪୦ରୁ ୫୦ କି.ମି. ବେଗରେ ପବନ ବହିବାର ସମ୍ଭାବନା ରହିଛି। ୧୨ ତାରିଖ ପର୍ଯ୍ୟନ୍ତ ସମୁଦ୍ରକୁ ନ ଯିବା ଲାଗି ମତ୍ସ୍ୟଜୀବୀମାନଙ୍କୁ ପରାମର୍ଶ ଦିଆଯାଇଛି।
ମୌସୁମୀ ପ୍ରବେଶ କରିବା ପରେ ରାଜ୍ୟର କେତେକ ସ୍ଥାନରେ ବର୍ଷା ଲାଗି ରହିଛି। ଉପକୂଳରେ କମ୍‌ ବର୍ଷା ହେଉଥିଲେ ମଧ୍ୟ ଦକ୍ଷିଣ ଓଡ଼ିଶାରେ ବର୍ଷା ପରିମାଣ ଅଧିକ ରହିଥିବା ଜଣାପଡିଛି। ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ଦାରିଙ୍ଗବାଡିରେ ସର୍ବାଧିକ ୫୪ ମି.ମି. ବର୍ଷା ରେକର୍ଡ କରାଯାଇଥିବା ବେଳେ ପାରଳାଖେମୁଣ୍ଡି ୨୩, ରାୟଗଡ଼ା ୨୪, ବଲାଙ୍ଗୀର ୨୨, ଫୁଲବାଣୀ ୧୨.୨, ଛତ୍ରପୁର ୧୦, ବାରିପଦା ୧୦.୨, ଗୋପାଳପୁର ୧୨.୬, ଭୁବନେଶ୍ୱର ୯.୯, ପାରାଦୀପ ୬.୨ ଏବଂ ବାଲେଶ୍ୱରରେ ୪.୫ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ସେହିପରି କୋରାପୁଟ ଜିଲାର ପଟାଙ୍ଗୀରେ ୬ ସେଣ୍ଟିମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ ମୟୂରଭଞ୍ଜର ବାଙ୍ଗିରିପୋଷୀରେ ୭, କଟକ ନିଆଳିରେ ୬, ତେଲକୋଇରେ ୫ ସେଣ୍ଟିମିଟର ବର୍ଷା ରେକର୍ଡ କରାଯାଇଛି।

Share