ମୌସୁମୀ ଛୁଇଁଲାଣି, ସରିନି ପଙ୍କୋଦ୍ଧାର

କଟକ ଅଫିସ,୧୨ା୬: ମୌସୁମୀ ଛୁଇଁବା ପରେ ପାଗ ପରିବର୍ତ୍ତନ ସାଙ୍ଗକୁ ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ମଧ୍ୟ ହେଉଛି। ମୌସୁମୀ ବର୍ଷାରେ କଟକ ସହର ଜଳବନ୍ଦୀ ହେବାର ଆଶଙ୍କା ସବୁଥର ଥାଏ। କିନ୍ତୁ କଟକ ମହାନଗର ନିଗମ (ସିଏମ୍‌ସି) ପକ୍ଷରୁ ଡ୍ରେନରୁ ପଙ୍କୋଦ୍ଧାର କାର୍ଯ୍ୟ ସରିନାହିଁ। ଏବେ ସୁଦ୍ଧା ସ୍ବୟଂ ସହାୟକ ଗୋଷ୍ଠୀମାନେ ସେହି କାର୍ଯ୍ୟ ଜାରି ରଖିଛନ୍ତି।
ସିଏମ୍‌ସିରେ ଡ୍ରେନ୍‌ ସଫେଇ ଓ ସୌନ୍ଦର୍ଯ୍ୟକରଣ ପାଇଁ ରାଜ୍ୟ ସରକାର ୫ କୋଟି ଟଙ୍କା ଦେଇଛନ୍ତି। ସଫେଇର ଦାୟିତ୍ୱ ଏସ୍‌ଏଚ୍‌ଜିଙ୍କୁ ଦିଆଯାଇଥିବା ବେଳେ ଗୋଟିଏ ସପ୍ତାହ ପୂର୍ବରୁ ଏହି କାର୍ଯ୍ୟ ଆରମ୍ଭ ହୋଇଛି। ଡ୍ରେନରୁ ଯେତିକି ପଙ୍କୋଦ୍ଧାର କରାଯାଉଛି, ସାମାନ୍ୟ ବର୍ଷାରେ ତାହା ପୁଣି ଡ୍ରେନରେ ଯାଇ ମିଶୁଛି। ୫୯ଟି ୱାର୍ଡରୁ କିଛି ୱାର୍ଡରେ ଡ୍ରେନ ସଫେଇ ହୋଇଛି। ନାଳ ସଫା କରିବା ପାଇଁ ଲକ୍‌ଡାଉନ୍‌ ବେଳେ ଆବଶ୍ୟକ ଶ୍ରମିକ ମିଳୁ ନ ଥିବାବେଳେ ଏସ୍‌ଏଚ୍‌ଜି କର୍ମକର୍ତ୍ତାଙ୍କ ମଧ୍ୟ ଏଥିରେ ଯଥେଷ୍ଟ ଅଭିଜ୍ଞତା ନାହିଁ। ଅନ୍ୟପକ୍ଷରେ ଲଗାଣ ବର୍ଷା ଯୋଗୁ ଯଦି ସହରରେ ଜଳବନ୍ଦୀ ସମସ୍ୟା ଉପୁଜେ, ବର୍ଷାଜଳ ନିଷ୍କାସନ ପାଇଁ ସିଏମ୍‌ସି ପାଇଁ ଏକମାତ୍ର ଉପାୟ ହେଉଛି ପମ୍ପସେଟ୍‌। ସିଏମ୍‌ସି ପାଖରେ ବର୍ତ୍ତମାନ ୨୭୬ଟି ପମ୍ପସେଟ୍‌ ରହିଛି, ଯାହା ଜଳବନ୍ଦୀ ବେଳେ ସାହା ହେବ।

Share