ମୌସୁମୀ ଦୁର୍ବଳ, ୯ ଯାଏ କାଁ ଭାଁ ବର୍ଷା

ଭୁବନେଶ୍ୱର,୫।୭(ବ୍ୟୁରୋ): ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରଭାବହୀନ ରହିଛି। ଆକାଶ ମେଘାଚ୍ଛନ୍ନ ରହୁଥିଲେ ମଧ୍ୟ କାଁ ଭାଁ ବର୍ଷା ହେଉଛି। ଆସନ୍ତା ୯ ତାରିଖ ଯାଏ ରାଜ୍ୟରେ ବଡ଼ ବର୍ଷାର ସମ୍ଭାବନା ନାହିଁ। ଲଘୁଚାପର କିଛି ଆକାର ଦିଶୁ ନାହିଁ। ତେବେ ୭ ତାରିଖରେ ଘୂର୍ଣ୍ଣିବଳୟ ଯୋଗୁ ସୁନ୍ଦରଗଡ଼, ଦେବଗଡ଼, ଝାରସୁଗୁଡ଼ା, ସମ୍ବଲପୁର ଓ କେନ୍ଦୁଝର ଜିଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ୮ ଓ ୯ ତାରିଖରେ ଉତ୍ତର ଓଡିଶାର ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର ଜିଲାରେ ବର୍ଷା ପରିମାଣ ସାମାନ୍ୟ ବଢିବା ସମ୍ଭାବନା ରହିଛି। ତେବେ ଉପକୂଳ ଏବଂ ଆଭ୍ୟନ୍ତରୀଣ ଓଡିଶାର ଅଳ୍ପ କେତେକ ସ୍ଥାନରେ ଘଡଘଡି ସହ ବର୍ଷା ହେବ ବୋଲି ଅନୁମାନ କରାଯାଇଛି। ମୌସୁମୀ ଦୁର୍ବଳ ରହୁଥିବାରୁ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ବର୍ଷା ପରିମାଣ ହ୍ରାସ ପାଇଛି। ମିଳିଥିବା ସୂଚନା ଅନୁଯାୟୀ ଅନୁଗୋଳରେ ୧୧ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ ଝାରସୁଗୁଡାରେ ୫.୮, ଭୁବନେଶ୍ୱର ୬.୭, କେନ୍ଦୁଝର ୪.୬, ସୁନ୍ଦରଗଡ ୮, ସମ୍ବଲପୁର ୩.୮, ତାଳଚେର ୪, ଭବାନୀପାଟଣା ୧୮ ଟିଟିଲାଗଡ ୧୦ ଏବଂ ମାଲକାନଗିରିରେ ୧୬ ମିଲିମିଟର ବର୍ଷା ରେକର୍ଡ କରାଯାଇଛି।

Share