Advertisement

ମୌସୁମୀ ବର୍ଷାରେ ବେହାଲ ନୟାଗଡ଼ ସହର: ହଇରାଣ ହେଉଛନ୍ତି ଦୁଇସାହି ବାସିନ୍ଦା

ନୟାଗଡ଼ ଅଫିସ,୨୩ା୬- ଦୁଇଦିନ ଧରି ହୋଇଥିବା ପ୍ରାକ୍‌ ମୌସୁମୀ ବର୍ଷାରେ ବେହାଲ୍‌ ହୋଇଛି ନୟାଗଡ଼ ସହର। ବିଶେଷ କରି ରତନପୁର ଓ ଲୋକନାଥ ନଗର ବାସିନ୍ଦା ଏଥିଯୋଗୁ ହଇରାଣ ହେଉଛନ୍ତି। ଲୋକନାଥ ନଗରରେ ଡ୍ରେନ୍‌ ନିର୍ମାଣ କରା ନ ଯାଇ ରାସ୍ତା କରାଯାଇଥିବାରୁ ରାସ୍ତାରେ ପାଣି ଭାସୁଛି। ଏହାକୁ ନେଇ କଲୋନୀବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେହିପରି ନୟାଗଡ଼ ପୌର ପରିଷଦ କାର୍ଯ୍ୟାଳୟଠାରୁ ମାତ୍ର ୨ କିଲୋମିଟର ଦୂରରେ ଥିବା ରତନପୁର ଗ୍ରାମର ଲୋକମାନେ ନର୍ଦ୍ଦମା ପାଣି ଭିତରେ ରହୁଥିବା ଦେଖିବାକୁ ମିଳୁଛି। ଦୀର୍ଘ ୬ମାସ ହେଲା ସେମାନେ ଏଭଳି ଅବସ୍ଥାରେ ରହୁଥିଲେ ମଧ୍ୟ ପୌର ପରିଷଦ ପକ୍ଷରୁ ଏହାର ସମାଧାନ କରାଯାଉ ନାହିଁ। ପ୍ରକାଶ ଯେ, ରତନପୁର କଲୋନୀର ଏକ ସ୍ଥାନରେ ସହରର ସମସ୍ତ କଲୋନୀ ଓ ରାସ୍ତା ପାଣି ଜମିରହିଥାଏ। ପୂର୍ବରୁ ପାଣି ନିଷ୍କାସନ ପାଇଁ ସୁବିଧା ରହିଥିଲା। ହେଲେ ବର୍ତ୍ତମାନ ପାଣି ନିଷ୍କାସନ ହେଉଥିବା ସ୍ଥାନଟି ଜଣେ ବ୍ୟକ୍ତିଙ୍କର ହୋଇଥିବାରୁ ସେ ସେଠାରେ ଘର କରିଦେଇଛନ୍ତି। ଫଳରେ ପାଣି ନିଷ୍ପାସନ ହୋଇପାରୁ ନାହିଁ। ଏ ନେଇ ରତନପୁର ଓ ଲୋକନାଥନଗର ବାସିନ୍ଦା ପୌର ପରିଷଦ ନିର୍ବାହୀ ଅଧିକାରୀଙ୍କଠାରୁ ଆରମ୍ଭ କରି ଜିଲାପାଳଙ୍କୁ ଭେଟିଥିଲେ ମଧ୍ୟ ସ୍ଥାୟୀ ସମାଧାନ ହୋଇ ପାରୁନାହିଁ। ବର୍ଷା ଆରମ୍ଭ ହୋଇଯାଇଥିବାରୁ ଲୋକମାନେ କିପରି ଚଳିବେ ସେହି ଚିନ୍ତାରେ ଅଛନ୍ତି। ପାଣି ଜମି ରହୁଥିବାରୁ ସନ୍ଧ୍ୟାରେ ମଶାଙ୍କ ପ୍ରାଦୁର୍ଭାବ ଦେଖିବାକୁ ମିଳୁଛି। ସେହିପରି ବିଭିନ୍ନ ସମୟରେ ବାଇକ୍‌ରେ ଯାଉଥିବା ଆରୋହୀମାନେ ମଧ୍ୟ ଦୁର୍ଘଟଣାର ଶିକାର ହେଉଛନ୍ତି। ଏ ସମ୍ପର୍କରେ ନୟାଗଡ଼ ପୌର ପରିଷଦ ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ଜେନା କହନ୍ତି, ଡ୍ରେନ ନିର୍ମାଣ କରିବା ପାଇଁ କୌଣସି ସରକାରୀ ଜାଗା ନାହିଁ। ଲୋକମାନେ ମଧ୍ୟ ସେମାନଙ୍କ ଜାଗା ଛାଡ଼ୁନାହାନ୍ତି। ଫଳରେ ଏଭଳି ଅସୁବିଧା ଦେଖାଦେଇଛି। ଆଗାମୀ ଦିନରେ ଏହାର ସମାଧାନ ପାଇଁ ଏକ ଅସ୍ଥାୟୀ ଡ୍ରେନ ନିର୍ମାଣ କରାଯିବ ବୋଲି ସେ ପ୍ରକାଶ କରିଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel