ମୌସୁମୀ ସକ୍ରିୟ: ଆଜିଠୁ ବଢ଼ିବ ବର୍ଷା ୨୬ ଯାଏ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର,୧୯ା୬(ବ୍ୟୁରୋ): ୧୯ ତାରିଖରେ ଉତ୍ତର ବଙ୍ଗୋପସାଗର ଏବଂ ପଶ୍ଚିମବଙ୍ଗ ଉପକୂଳରେ ଲଘୁଚାପ ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଥିଲା। ଏହାର ପ୍ରଭାବରେ ଉତ୍ତର ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରିଥିଲା। ତେବେ ଆଉ ଲଘୁଚାପ ହେବ ନାହିଁ ବିଭାଗ ପକ୍ଷରୁ କୁହାଯାଇଛି। ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଉପରେ ଏକ ଟ୍ରପ୍‌ ଲାଇନ ରହିଛି। ଉତ୍ତରପ୍ରଦେଶ ଏବଂ ଏହାର ଆଖପାଖ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆସନ୍ତା ୧୯ ତାରିଖରେ ଦେବଗଡ଼, ସୁନ୍ଦରଗଡ଼, ସମ୍ବଲପୁର, କେନ୍ଦୁଝର, ମୟୂରଭଞ୍ଜ ଏବଂ ବାଲେଶ୍ୱର ଜିଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ୨୦ ତାରିଖରେ ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ବରଗଡ଼, ଦେବଗଡ଼ ଜିଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ସୁବର୍ଣ୍ଣପୁର, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ଅନୁଗୋଳ, ଢେଙ୍କାନାଳ ଏବଂ କଟକ ଜିଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ
ପୂର୍ବାନୁମାନ କରିଛି। ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ମୌସୁମୀ ସକ୍ରିୟ ଥିବାରୁ ଆସନ୍ତା ୨୬ ତାରିଖ ଯାଏ ବର୍ଷା ପରିମାଣ ବୃଦ୍ଧି ପାଇବ। ତେବେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଆକାଶ ମେଘାଚ୍ଛନ୍ନ ରହିବା ସହ କାଁ ଭାଁ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଯାଇଛି। ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଝାରସୁଗୁଡ଼ାରେ ୪ ସେଣ୍ଟିମିଟର ବର୍ଷା ହୋଇଥିବା ବେଳେ ସୁନ୍ଦରଗଡ଼ ୪, ଯାଜପୁର ୩, ମୟୂରଭଞ୍ଜ, ଢେଙ୍କାନଳ, ମାଲକାନଗିରି, ଭଦ୍ରକରେ ୩ ମିଲିମିଟର ଲେଖାଏ ବର୍ଷା ରେକର୍ଡ କରାଯାଇଛି।

Share