Categories: ଖେଳ

ମ୍ୟାକ୍‌ଡୋନାଲ୍ଡ ଅଷ୍ଟ୍ରେଲିଆର ସହାୟକ କୋଚ୍‌

ସିଡ୍‌ନୀ, ୩୧।୧୦ (ଏଏଫ୍‌ପି)- ପୂର୍ବତନ କ୍ରିକେଟର୍‌ ଆଣ୍ଡ୍ରିଉ ମ୍ୟାକ୍‌ଡୋନାଲ୍ଡଙ୍କୁ ବୁଧବାର ଅଷ୍ଟ୍ରେଲିଆ ପୁରୁଷ କ୍ରିକେଟ୍‌ ଦଳର ସହାୟକ କୋଚ୍‌ ନିଯୁକ୍ତ କରାଯାଇଛି। ମୁଖ୍ୟ କୋଚ୍‌ ଜଷ୍ଟିନ ଲାଙ୍ଗରଙ୍କୁ ସେ ସହାୟତା କରିବେ। ଗତ ଫେବୃୟାରୀରେ ଡେଭିଡ୍‌ ସକର୍‌ ଏହି ପଦ ଛାଡ଼ିବା ପରେ ସେବେଠାରୁ ଏହା ଖାଲି ରହିଥିଲା। ଏହାପରେ ପୂର୍ବତନ ଅଧିନାୟକ ରିକି ପଣ୍ଟିଂ ଓ ଷ୍ଟିଭ୍‌ ଓ୍ବ ମେଣ୍ଟର ଭାବେ ଲାଙ୍ଗରଙ୍କୁ ସହାୟତା କରି ଆସୁଥିଲେ। ‘ମ୍ୟାକ୍‌ଡୋନାଲ୍ଡ ବର୍ତ୍ତମାନ ଆମ କୋଚିଂ ଟିମ୍‌ରେ ଯୋଗ ଦେଇଛନ୍ତି। ଏହି ଅଲ୍‌ରାଉଣ୍ଡରଙ୍କ ଜ୍ଞାନ ଓ ମ୍ୟାନେଜମେଣ୍ଟ ସ୍କିଲ୍‌ ଟିମ୍‌ ପାଇଁ ଲାଭଦାୟକ ହେବ ଏଥିରେ କୌଣସି ସନ୍ଦେହ ନାହିଁ’ ବୋଲି ଲାଙ୍ଗର କହିଛନ୍ତି। ଉଲ୍ଲେଖଯୋଗ୍ୟ, ମ୍ୟାକ୍‌ଡୋନାଲ୍ଡଙ୍କ ପ୍ରଶିକ୍ଷଣରେ ଭିକ୍ଟୋରିଆ ଓ ମେଲବୋର୍ନ ରେନ୍‌ଗାଡର୍‌ସ ଦଳ ଗତ ସିଜନରେ ଅଷ୍ଟ୍ରେଲିଆ ଘରୋଇ କ୍ରିକେଟ୍‌ର ୩ଟି ଯାକ ଟାଇଟଲ୍‌ ଜିତିବାରେ ସଫଳ ହୋଇଥିଲା। ବର୍ତ୍ତମାନ ଅଷ୍ଟ୍ରେଲିଆ ଦଳର ସଦସ୍ୟ ରହିଥିବା ଆରୋନ ଫିଞ୍ଚ୍‌, ମାର୍କସ ହାରିସ, ଜେମ୍ସ ପାଟିନଶନ ପ୍ରମୁଖଙ୍କ ସହ ମ୍ୟାକ୍‌ଡୋନାଲ୍ଡ ପୂର୍ବରୁ କାମ କରିସାରିଛନ୍ତି। ୧୫ ବର୍ଷର କ୍ରିକେଟ୍‌ କ୍ୟାରିୟରରେ ମ୍ୟାକ୍‌ଡୋନାଲ୍ଡ ଅଷ୍ଟ୍ରେଲିଆ ପକ୍ଷରୁ ୪ଟି ଟେଷ୍ଟ ମ୍ୟାଚ୍‌ ଖେଳିଛନ୍ତି।

Share