Categories: ଖେଳ

ମ୍ୟାଚ୍‌ବେଳେ ହୃଦ୍‌ଘାତରେ ଫୁଟ୍‌ବଲରଙ୍କ ମୃତ୍ୟୁ

ମାଲାପୁରମ (କେରଳ), ୩୧ା୧୨ (ପି.ଟି.)- କେରଳର ପରିଣ୍ଟାଲ୍‌ମାନାଠାରେ ଏକ ମ୍ୟାଚ ଖେଳୁଥିବାବେଳେ ଫୁଟ୍‌ବଲର ଧନରାଜନ ରାଧାକ୍ରିଷ୍ଣନଙ୍କର ହୃଦ୍‌ଘାତରେ ପ୍ରାଣହାନୀ ଘଟିଛି। ରବିବାର ସନ୍ଧ୍ୟାରେ ଏଫ୍‌ସିସ ପରିଣ୍ଟାଲମାନ୍ନା ତରଫରୁ ସାସ୍ଥା ମେଡିକାଲ୍ସ ଏଫ୍‌ସି ତ୍ରିସୂର ବିପକ୍ଷ ସେଭେନ୍ସ ଟୁର୍ନାମେଣ୍ଟ (ସେଭେନ-ଏ ସାଇଡ୍‌ )ମ୍ୟାଚ ଖେଳୁଥିବାବେଳେ ଏହି ଡିଫେଣ୍ଡର ଜଣଙ୍କ ପଡ଼ିଆ ମଝିରେ ଆକସ୍ମିକ ସଂଜ୍ଞାହୀନ ହୋଇପଡ଼ିଥିଲେ। ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ୩୯ବର୍ଷୀୟ ଧନରାଜନଙ୍କ ସେଠାରେ ରାତି ୧୦ଟା ୨୦ରେ ମୃତ୍ୟୁ ଘଟିଥିଲା। ଖବର ଅନୁସାରେ ମ୍ୟାଚର ୨୭ତମ ମିନିଟ୍‌ରେ ସେ ତାଙ୍କ ବାମହାତ ଉପରକୁ ଟେକିଥିବା ଅବସ୍ଥାରେ ବେହୋସ୍‌ ହୋଇପଡ଼ିଥିଲେ। ଧନରାଜନ ଚିରାଗ ୟୁନାଇଟେଡ କ୍ଲବରେ ତାଙ୍କ କ୍ୟାରିୟର ଆରମ୍ଭ କରିଥିଲେ। ସେ ୧୧ ବର୍ଷ ଧରି ପ୍ରଫେଶନାଲ ଫୁଟ୍‌ବଲ ଖେଳିଥିଲେ। ମୋହନବାଗାନ ଓ ଇଷ୍ଟବେଙ୍ଗଲ ବ୍ୟତୀତ ସେ ୨୦୧୨-୧୪ରେ ମହମ୍ମଡ଼ାନ ସ୍ପୋର୍ଟିଂ ତରଫରୁ ପ୍ରତିନିଧିତ୍ୱ କରିଥିଲେ। ସେ ଆହୁରି ମଧ୍ୟ ସନ୍ତୋଷ ଟ୍ରଫିରେ ବେଙ୍ଗଲ ତରଫରୁ ଖେଳିଛନ୍ତି। ତାଙ୍କ ଦେହାନ୍ତରେ ସର୍ବ ଭାରତୀୟ ଫୁଟ୍‌ବଲ ମହାସଂଘ (ଏଆଇଏଫ୍‌ଏଫ୍‌) ତରଫରୁ ଶୋକ ପ୍ରକାଶ କରାଯାଇଛି। ସମଗ୍ର ବିଶ୍ୱରେ ସେଭେନ୍ସ ଟୁର୍ନାମେଣ୍ଟ କ୍ରମେ ଲୋକପ୍ରିୟ ହେବାରେ ଲାଗିଛି। ଅଲ୍‌ କେରଳ ସେଭେନ୍ସ ଫୁଟ୍‌ଲ ଆସୋସିଏଶନ ତରଫରୁ ଏହି ଟୁର୍ନାମେଣ୍ଟ ଆୟୋଜନ କରାଯାଇଥିଲା। ଧନରାଜନ ମିଡ୍‌ ଫିଲ୍ଡର ଡେନସନ ଦେବଦାସଙ୍କ ସହିତ ୨୦୦୫ରେ କୋଲକାତା ଆସିଥିଲେ। ସେ ପ୍ରଥମେ ୟୁନାଇଟେଡ ସ୍ପୋଟର୍‌ସ କ୍ଲବ (ପରେ ଚିରାଗ ୟୁନାଇଟେଡ ନାମରେ ନାମିତ) ତରଫରୁ ଖେଳିଥିଲେ।

Share