Categories: ଖେଳ

ମ୍ୟାଚ୍‌ ଫିକ୍ସିଂ ସୁରାକ ପାଇଲା ବିସିସିଆଇ

ନୂଆଦିଲ୍ଲୀ,୧୬।୯: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ପୁଣି ମ୍ୟାଚ୍‌ ଫିକ୍ସିଂ ସୁରାକ ପାଇଛି। ତାମିଲନାଡୁ ପ୍ରିମିୟର ଲିଗ୍‌ (ଟିଏନ୍‌ପିଏଲ)ରେ ମ୍ୟାଚ୍‌ ଫିକ୍ସିଂ ହୋଇଥିବାର କିଛି ଖେଳାଳି ଅଭିଯୋଗ କରିବା ପରେ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ଏ ନେଇ ବିସିସିଆଇର ଆଣ୍ଟି କରପଶନ ୟୁନିଟ (ଏସିୟୁ) ମୁଖ୍ୟ ଅଜିତ ସିଂ ସୋମବାର ସ୍ପଷ୍ଟ କରିଛନ୍ତି। ମିଳିଥିବା ରିପୋର୍ଟ ଅନୁଯାୟୀ, ଏକ ଅଜଣା ଲୋକ ଲିଗ୍‌ ବେଳେ କିଛି ଖେଳାଳିଙ୍କୁ ମ୍ୟାଚ୍‌ ଫିକ୍ସିଂ ପ୍ରସ୍ତାବ ଦେଇଥିଲେ। ଏହାପରେ ଖେଳାଳିମାନେ ଏସିୟୁ ନିକଟରେ ଏ ନେଇ ଅଭିଯୋଗ କରିଛନ୍ତି। କିଛି ଖେଳାଳିଙ୍କ ମତକୁ ଭିତ୍ତି କରି ଆମେ ତଦନ୍ତ ନିର୍ଦ୍ଦେଶ ଦେଇଛୁ। ସେମାନେ କେତେବେଳେ ଜଣେ ଅଜଣା ଲୋକଠାରୁ କ’ଣ ହ୍ବାଟସଆପ ମେସେଜ ପାଇଥିଲେ, ତାହା ଆମେ ରେକର୍ଡ କରିଛୁ। ଏଥିରେ କେହି ବି ଜଡ଼ିତ ହୋଇପାରନ୍ତି। ତେବେ କିଛି ପ୍ରଥମଶ୍ରେଣୀ କ୍ରିକେଟର ଓ ଦୁଇ ଜଣ କୋଚ୍‌ଙ୍କ ଉପରେ ସନ୍ଦେହ ରହିଛି। ହେଲେ କୌଣସି ଅନ୍ତର୍ଜାତୀୟ ଖେଳାଳି ନାହାନ୍ତି। ଟିଏନ୍‌ପିଏଲ ତାମିଲନାଡୁର ଏକ ବାର୍ଷିକ ଇଭେଣ୍ଟ, ଯେଉଁଥିରେ ରବିଚନ୍ଦ୍ରନ ଅଶ୍ୱିନ, ମୁରଲୀ ବିଜୟ ଓ ଦୀନେଶ କାର୍ତ୍ତିକଙ୍କ ଭଳି ଅନ୍ତର୍ଜାତୀୟ ଖେଳାଳି ଅଂଶଗ୍ରହଣ କରନ୍ତି। ଚେନ୍ନାଇର ଚେପକ ଗ୍ରାଉଣ୍ଡରେ ପ୍ରାୟତଃ ମ୍ୟାଚ୍‌ ଖେଳାଯାଏ। ଏହି ଟୁର୍ନାମେଣ୍ଟକୁ ପୂର୍ବତନ ଭାରତୀୟ ଅଧିନାୟକ ତଥା ଚେନ୍ନାଇ ସୁପରକିଙ୍ଗ୍ସ କ୍ୟାପଟେନ ମହେନ୍ଦ୍ର ସିଂ ଧୋନୀ ଉଦ୍‌ଘାଟନ କରିଥିଲେ।

Share