Categories: ଖେଳ

ମ୍ୟାଚ ଭେନ୍ୟୁ ସ୍ଥାନାନ୍ତର ପ୍ରସଙ୍ଗ, ଏଆଇଟିଏ-ଆଇଟିଏଫ୍‌ ଆଲୋଚନା ଘୁଞ୍ଚିଲା

ନୂଆଦିଲ୍ଲୀ, ୧୯ା୮ (ପି.ଟି.)-ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳଯିବାକୁଥିବା ଡେଭିସ୍‌ କପ୍‌ ମ୍ୟାଚକୁ ନେଇ ସର୍ବଭାରତୀୟ ଟେନିସ ଆସୋସିଏଶନ (ଏଆଇଟିଏ) ଏବଂ ଅନ୍ତର୍ଜାତୀୟ ଟେନିସ ମହାସଂଘ (ଆଇଟିଏଫ୍‌)ର ସୁରକ୍ଷା ପରାମର୍ଶଦାତାଙ୍କ ମଧ୍ୟରେ ଆଲୋଚନା ସୋମବାର ହୋଇନାହିଁ। ଏହାକୁ ମଙ୍ଗଳବାର ଘୁଞ୍ଚାଇ ଦିଆଯାଇଛି। ଟେଲିକନଫରେନ୍ସ ଦ୍ୱାରା ହେବକୁଥିବା ଏହି ଆଲୋଚନାରେ ଭାରତର ଅଣ ଖେଳାଳି ଡେଭିସ୍‌ କପ୍‌ ଅଧିନାୟକ ମହେଶ ଭୂପତି ଭାଗ ନେବେ। ମ୍ୟାଚ ଇସ୍‌ଲାମାବାଦରେ ଖେଳାଯିବାର କାର୍ଯ୍ୟକ୍ରମ ରହିଥିଲା। ଭାରତୀୟ ପ୍ରଦେଶ ଜମ୍ମୁ-କଶ୍ମୀର ଉପରୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ପ୍ରତ୍ୟାହାରକୁ ନେଇ ଭାରତ ସହିତ ପାକିସ୍ତାନର କୂଟନୈତିକ ସମ୍ପର୍କରେ ତିକ୍ତତା ଦେଖାଦେଇଛି। ସୁରକ୍ଷା ଜନିତ କାରଣରୁ ମ୍ୟାଚକୁ ପାକିସ୍ତାନରେ ଖେଳ ନ ଯାଇ ଏକ ନିରପେକ୍ଷ ଭେନ୍ୟୁରେ କରିବା ଲାଗି ହୋଇଥିବା ଦାବିକୁ ଆଇଟିଏଫ୍‌ ଦୁଇ ଥର ପ୍ରତ୍ୟାଖ୍ୟାନ କରିବା ପରେ ଶେଷରେ ଟେଲିକନ୍‌ଫରେନ୍ସ ଜରିଆରେ ଆଲୋଚନା ପାଇଁ ରାଜି ହୋଇଛି। ଏଆଇଟିଏ ସାଧାରଣ ସମ୍ପାଦକ ହିରଣମୟ ଚାଟାର୍ଜୀ କହିଛନ୍ତି, ଆଇଟିଏଫ୍‌ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଜଷ୍ଟିନ ଆଲବର୍ଟ ଉପଲବ୍ଧ ନ ହେବାରୁ ଆଲୋଚନାକୁ ଦିନେ ଘୁଞ୍ଚାଇ ଦିଆଯାଇଛି।

Share