ମ୍ୟାନ୍‌ମାର ଗସ୍ତରେ ଜିନ୍‌ପିଙ୍ଗ୍‌

ନାଏପିଡ଼ା,୧୮ା୧ (ଏଏଫ୍‌ପି): ଚାଇନା ରାଷ୍ଟ୍ରପତି ଜି ଜିନ୍‌ପିଙ୍ଗ୍‌ ଦୁଇଦିନିଆ ମ୍ୟାନ୍‌ମାର୍‌ ଗସ୍ତରେ ଯାଇ ଶୁକ୍ରବାର ଏହାର ରାଜଧାନୀରେ ପହଞ୍ଚତ୍ଛନ୍ତି। ସଙ୍କଟରେ ପଡ଼ିଥିବା ଅଙ୍ଗ୍‌ ସାନ୍‌ ସୁ କୀଙ୍କ ସରକାରଙ୍କୁ ସମର୍ଥନ ଜଣାଇବା ଏବଂ ମ୍ୟାନ୍‌ମାର୍‌ ସହ ବହୁକୋଟି ଡଲାରର ଭିତ୍ତିଭୂମି ପ୍ରକଳ୍ପ ଲାଗି ଚୁକ୍ତିନାମା କାର୍ଯ୍ୟକୁ ଆଗେଇ ନେବା ଜିନ୍‌ପିଙ୍ଗଙ୍କ ଗସ୍ତର ଉଦ୍ଦେଶ୍ୟ ବୋଲି କୁହାଯାଉଛି। ୧୯ ବର୍ଷ ମଧ୍ୟରେ ଚାଇନା ନେତାଙ୍କର ଏହା ପ୍ରଥମ ମ୍ୟାନ୍‌ମାର୍‌ ଗସ୍ତ ହୋଇଥିବାବେଳେ ଏହା ଭାରତର ଚିନ୍ତା ବଢ଼ାଇଦେଇଛି। ଜିନ୍‌ପିଙ୍ଗ୍‌ଙ୍କ ଏହି ଗସ୍ତ ଉପରେ ନୂଆଦିଲ୍ଲୀ ନଜର ରଖିଛି। ମିଆଁମାରର ସୈନ୍ୟବାହିନୀ ୭ ଲକ୍ଷରୁ ଊର୍ଦ୍ଧ୍ୱ ସଂଖ୍ୟାଲଘୁ ରୋହିଙ୍ଗ୍ୟା ମୁସଲମାନଙ୍କୁ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଥିଲା। ସେମାନେ ବାଧ୍ୟ ହୋଇ ବାଂଲାଦେଶ ପଳାଇଥିଲେ। ଏହି ମାମଲା ହେଗ୍‌ସ୍ଥିତ ଅନ୍ତର୍ଜାତୀୟ ନ୍ୟାୟିକ ଅଦାଲତରେ ଚାଲିଥିବାବେଳେ ୨୩ରେ ରାୟ ପ୍ରକାଶ ପାଇପାରେ। ଗତ ମାସରେ ଷ୍ଟେଟ୍‌ କାଉନ୍‌ସେଲର ସୁ କୀ ମ୍ୟାନ୍‌ମାର୍‌ କାର୍ଯ୍ୟକୁ ସମର୍ଥନ କରି ଅନ୍ତର୍ଜାତୀୟ ଅଦାଲତରେ ପକ୍ଷ ରଖିଥିଲେ। ମ୍ୟାନ୍‌ମାର୍‌ର ଏଭଳି କାର୍ଯ୍ୟକୁ ଆମେରିକା ଓ ୟୁରୋପୀୟ ସଂଘ ନିନ୍ଦା କରିଥିବାବେଳେ ଜାତିସଂଘ ଏହାକୁ ନରସଂହାର ଭଳି କାର୍ଯ୍ୟ ବୋଲି କହିଛି। ଉଇଘୁରଙ୍କୁ ନେଇ ଚାଇନା ସମାଲୋଚିତ ହୋଇଥିବାବେଳେ ମିଆଁମାର ରୋହିଙ୍ଗ୍ୟାମାନଙ୍କୁ ତଡିଦେଇଛି। ଫଳରେ ଚାଇନା ଓ ମ୍ୟାନ୍‌ମାର୍‌ ମଧ୍ୟରେ କୂଟନୈତିକ ସମ୍ପର୍କ ବୃଦ୍ଧି ପାଇଛି।

Share