‘ମ୍ୟାନ୍‌ ଭର୍ସେସ ଓ୍ବାଇଲ୍ଡ’ରେ ବିରାଟ-ଦୀପିକା

ମୁମ୍ବାଇ: ବିୟର ଗ୍ରିଲ୍ସଙ୍କ ଲୋକପ୍ରିୟ ଟିଭି ଶୋ ‘ମ୍ୟାନ୍‌ ଭର୍ସେସ୍‌ ଓ୍ବାଇଲ୍ଡ’ ପାଇଁ ଭାରତୀୟ ତାରକାଙ୍କ ଉତ୍ସାହ ଦିନକୁ ଦିନ ବଢ଼ୁଥିବା ଦେଖିବାକୁ ମିଳୁଛି। ସାରା ବିଶ୍ୱରେ ଏହି ଶୋ’ର ସର୍ବାଧିକ ଲୋକପ୍ରିୟତା ରହିଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଶୋ’ରେ ଭାଗନେଇଥିଲେ। ତେବେ ଏହା ପରେ ଭାରତୀୟ ଦର୍ଶକଙ୍କ ମଧ୍ୟ ଶୋ’କୁ ନେଇ ବିଶେଷ ଆଗ୍ରହ ସୃଷ୍ଟି ହୋଇଛି। ପ୍ରଧାନମନ୍ତ୍ରୀ ମୋଦିଙ୍କ ପରେ ସିନେ ଜଗତରୁ ରଜନୀକାନ୍ତ ଏବଂ ଅକ୍ଷୟ କୁମାରଙ୍କ ନାଁ ଏହି ଲୋକପ୍ରିୟ ଶୋ ସହ ଯୋଡ଼ିହୋଇଗଲା। ତେବେ ଏହି ତାଲିକା ଏଠାରେ ସରିନି। ଆଗକୁ ବଲିଉଡ୍‌ ମସ୍ତାନୀ ଗର୍ଲ ଦୀପିକା ପାଦୁକୋନ୍‌ ଏବଂ ଲୋକପ୍ରିୟ ଭାରତୀୟ କ୍ରିକେଟର ବିରାଟ୍‌ କୋହଲି ମଧ୍ୟ ଏହି ଶୋ’ରେ ସାମିଲ ହେବେ ବୋଲି ଜଣାପଡ଼ିଛି।
ଜାନୁୟାରୀ ୨୭ରୁ ୩୧ ମଧ୍ୟରେ ‘ମ୍ୟାନ୍‌ ଭର୍ସସ୍‌ ଓ୍ବାଇଲ୍ଡ’ ଶୋ’ ପାଇଁ ଅକ୍ଷୟ କୁମାର ଏବଂ ରଜନୀକାନ୍ତଙ୍କ ଶୁଟିଂ ସିଡ୍ୟୁଲ୍‌ ରହିଛି। କର୍ନାଟକସ୍ଥିତ ବାନ୍ଦିପୁର ବ୍ୟାଘ୍ର ସଂରକ୍ଷଣରେ ସେମାନେ ଡିସ୍କଭରୀ ଚ୍ୟାନେଲ୍‌ରେ ପ୍ରସାରିତ ଏହି ବିଶ୍ୱ ଆଦୃତ ଶୋ’ ପାଇଁ ଏକ ସ୍ପେଶାଲ ଏପିଶୋଡ୍‌ ବିୟର ଗ୍ରିଲ୍ସଙ୍କ ସହ ଶୁଟିଂ କରିଛନ୍ତି। ଏ ନେଇ ହିନ୍ଦୀ ସିନେପ୍ରେମୀ ଓ ସାଉଥ୍‌ ସିନେପ୍ରେମୀଙ୍କ ମଧ୍ୟରେ ଦୁଇ ତାରକାଙ୍କୁ ଏହି ଶୋ’ରେ ଦେଖିବାକୁ ଉତ୍ସାହ ବଢ଼ିଯାଇଛି। ଏହି କ୍ରମରେ ଦୀପିକା ଓ ବିରାଟ୍‌ ମଧ୍ୟ ବିୟର ଗ୍ରିଲ୍ସଙ୍କ ସହ ଶୋ’ର ନୂଆ ସିରିଜ୍‌ରେ ନଜରକୁ ଆସିବେ ବୋଲି ଜଣାପଡ଼ିଛି। ତେବେ ଏ ନେଇ ବିଧିବଦ୍ଧ ଘୋଷଣା କରାଯିବା ଏଯାବତ୍‌ ବାକି ଅଛି।

Share