‘ମ୍ୟାନ ଭର୍ସେସ ଓ୍ବାଇଲ୍ଡ’ରେ ରଜନୀକାନ୍ତଙ୍କ ଲୁକ୍ସକୁ ପସନ୍ଦ କରୁଛନ୍ତି ଦର୍ଶକେ

ମୁମ୍ବାଇ,୧୦।୩: ସାଉଥ୍‌ ସୁପରଷ୍ଟାର ରଜନୀକାନ୍ତ ୬୯ ବର୍ଷ ବୟସରେ ବି ପ୍ରଶଂସକଙ୍କ ମନରେ ଘର କରି ରହିଛନ୍ତି। ଏବେବି ଦର୍ଶକେ ତାଙ୍କୁ ସେହି ସୁପରଷ୍ଟାର ବୋଲି ଭାବନ୍ତି। ଏଥର ‘ମ୍ୟାନ ଭର୍ସେସ ଓ୍ବାଇଲ୍ଡ’ରେ ରଜନୀକାନ୍ତଙ୍କୁ ଦେଖିବାକୁ ମିଳିବ। ଏହାର ଟିଜର ଆସିବା ପରେ ଏବେ ତାଙ୍କ ଲୁକ୍ସକୁ ଦର୍ଶକେ ବେଶ୍‌ ପସନ୍ଦ କରୁଥିବା ଜଣାପଡିଛି। ଏଥିରେ ଥାଲାଇବା ବିୟର ଗ୍ରିଲ୍‌ସଙ୍କ ସହ ଜଙ୍ଗଲରେ ଭୟଶୂନ୍ୟ ହୋଇ ବୁଲିବା ସହ ଷ୍ଟଣ୍ଟ କରୁଥିବା ଦେଖିବାକୁ ମିଳିଛି। ରଜନୀକାନ୍ତଙ୍କ ଦମଦାର ସ୍ପିରିଟକୁ ଦେଖି ବିୟର ଗ୍ରିଲସ ତାଙ୍କୁ ସୁପରହିରୋ ମଧ୍ୟ କହୁଥିବା ଜଣାପଡିଛି। ଏଥର ବି ତାଙ୍କ ଚଷମା ପିନ୍ଧିବାର ଷ୍ଟାଇଲ ଭାଇରାଲ ହେବାରେ ଲାଗିଛି। ବିୟର ଗ୍ରିଲସ ‘ମ୍ୟାନ ଭର୍ସେସ ଓ୍ବାଇଲ୍ଡ’ର ଟିଜର ଶେୟାର କରିବା ସହ ଲେଖିଛନ୍ତି, ରଜନୀକାନ୍ତଙ୍କ ସକରାତ୍ମକ ଚିନ୍ତାଧାରା, ଦୃଢମନୋବଳ ଓ କେବେ ନ ହାରିବାର ମନୋବଳ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିବ। ସେ ଯେ କୌଣସି ଚ୍ୟାଲେଞ୍ଜକୁ ଗ୍ରହଣ କରିଛନ୍ତି ବୋଲି ବିୟର କହିଛନ୍ତି। ୨୩ ମାର୍ଚ୍ଚ ୨୦୨୦, ରାତି ୮ଟାରେ ଡିସକଭରି ଚ୍ୟାନେଲରେ ଏହା ପ୍ରସାରଣ କରାଯିବ ବୋଲି ବିୟର ଉଲ୍ଲେଖ କରିଛନ୍ତି।

Share