Categories: ଗଞ୍ଜାମ

ମ୍ୟାଲେରିଆ ନିରାକରଣ ନେଇ ବୈଠକ

ଛତ୍ରପୁର,୧ା୬(ଡି.ଏନ.ଏ.) -ଗଞ୍ଜାମ ଜିଲାରେ ମ୍ୟାଲେରିଆ ପ୍ରତିରୋଧକ ଅଭିଯାନ ତଥା ଦୁର୍ଗମ ଅଞ୍ଚଳରେ ମ୍ୟାଲେରିଆ ନିରାକରଣ ପାଇଁ ଶୁକ୍ରବାର ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲାସ୍ତରୀୟ କ୍ରିୟାନୁଷ୍ଠାନ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଅଧ୍ୟକ୍ଷତା କରିଥିଲେ। ଜିଲାରେ ମ୍ୟାଲେରିଆ ନିରାକରଣ ପାଇଁ ନିଆଯାଇଥିବା ପଦକ୍ଷେପ ଉପରେ ବୈଠକରେ ଆଲୋଚନା ହୋଇଥିଲା। ୨୦୧୭ରେ ୪ଲକ୍ଷ ୧୨ ହଜାର ୭୭୪ ଜଣଙ୍କ ମ୍ୟାଲେରିଆ ପରୀକ୍ଷା କରାଯାଇଥିଲା। ସେଥିମଧ୍ୟରୁ ୧୦ହଜାର ୭୨ଜଣଙ୍କ ମ୍ୟାଲେରିଆ ପିଜିଟିଭ ଥିଲା। ମ୍ୟାଲେରିଆରେ ଆକ୍ରାନ୍ତ ୨ଜଣଙ୍କ ମୃତ୍ୟୁ ଘଟିଥିଲା। ସେହିପରି ୨୦୧୮ରେ ୪ଲକ୍ଷ ୧୫ ହଜାର ୬୪୪ ଜଣଙ୍କ ପରୀକ୍ଷା କରାଯାଇଥିବା ବେଳେ ୯ ହଜାର ୧୩୯ ଜଣଙ୍କ ମ୍ୟାଲେରିଆରେ ଆକ୍ରାନ୍ତ ହୋଇଥିବା ଜଣାପଡିଥିଲା। ସେହିବର୍ଷ ସୋରଡା ବ୍ଲକ ଗାଜଲବାଡି ଅଞ୍ଚଳର ଜଣଙ୍କ ମୃତ୍ୟୁ ହୋଇଥିଲା। ୨୦୧୯ ଏପ୍ରିଲ ସୁଦ୍ଧା ୧ଲକ୍ଷ ୨୪ ହଜାର ୯୯୧ ଜଣଙ୍କ ମ୍ୟାଲେରିଆ ସମ୍ବନ୍ଧୀୟ ପରୀକ୍ଷା କରାଯାଇଥିବା ବେଳେ ୧ ହଜାର ୨୮୪ ଏଥିରେ ଆକ୍ରାନ୍ତ ହୋଇଥିବା ଚିହ୍ନଟ ହୋଇଥିଲା। ଚଳିତବର୍ଷ ମ୍ୟାଲେରିଆରେ ଯେଭଳି କାହାରି ମୃତ୍ୟୁ ନ ଘଟେ ସେଥିପ୍ରତିି ସଜାଗ ରହିବାକୁ ସ୍ବାସ୍ଥ୍ୟ ବିଭାଗକୁ ଜିଲାପାଳ ସତର୍କ କରାଇଛନ୍ତି। ମଶା ବଂଶ ନିୟନ୍ତ୍ରଣ ପାଇଁ ପରିବେଶକୁ ପରିଷ୍କାର ପରିଚ୍ଛନ୍ନ ରଖିବା ଉପରେ ଜିଲାପାଳ ଅଧିକ ଗୁରୁତ୍ୱ ଦେଇଥିଲେ। ଯେଉଁସବୁ ଗାଁ ସବୁକୁ ଜଳ ଯୋଗାଣ ହୋଇଛି ସେହି ଗାଁ ଗୁଡ଼ିକରେ ପୋଖରୀରେ ଗାଧୋଇବା ପାଇଁ ବାରଣ କରାଯିବ। ଏ ନେଇ ସମ୍ପୃକ୍ତ ଗ୍ରାମବାସୀଙ୍କ ସଚେତନତା ପାଇଁ ବୋର୍ଡ ଲାଗିବ। ସେଥିରେ ସଚେତନତା ବାର୍ତ୍ତା ଲେଖାଯିବ। ବିଦ୍ୟାଳୟଗୁଡିକରେ ପ୍ରାର୍ଥନା କରିବା ପରେ ଛାତ୍ରୀଛାତ୍ରମାନଙ୍କୁ ମ୍ୟାଲେରିଆ ଉପରେ ସଚେତନ କରାଇବା ସହ ଅଙ୍ଗନୱାଡି କେନ୍ଦ୍ରରେ ମଧ୍ୟ ପିଲାମାନଙ୍କୁ ସଚେତନ କରାଇବାକୁ ଜିଲାପାଳ ଗୁରୁତ୍ୱାରୋପ କରିଥିଲେ। ତୁମ୍ବା, ପାତ୍ରପୁର ଆଦି ପାହାଡିଆ ଅଞ୍ଚଳରେ ପରିବାର ପିଛା ଗୋଟିଏ ଲେଖାଏ ମଶାନାଶକ ଔଷଧୀୟ ମଶାରି ବଣ୍ଟନ କରାଯିବ। ଏଥିସହ ମ୍ୟାଲେରିଆ ଆକ୍ରାନ୍ତଙ୍କୁ ଏକ ସୂଚନାପତ୍ର ଯୋଗାଇ ଦିଆଯିବ। ସେଥିରେ ମ୍ୟାଲେରିଆ ଚିକିତ୍ସାର ସମସ୍ତ ବିବରଣୀ ଉଲ୍ଲେଖ ରହିବ ବୋଲି ଜିଲା ମୁଖ୍ୟ ଚିକିସତ୍ାଧିକାରୀ ଡା. ବିଜୟ କୁମାର ପାଣିଗ୍ରାହୀ ବୈଠକରେ କହିଥିଲେ। ବୈଠକରେ ଜନସ୍ବାସ୍ଥ୍ୟ ଅଧିକାରୀ ଡା. ଆର୍‌ ଜଗଦୀଶ ପଟ୍ଟନାୟକ, ଡା. ପି କୁର୍ମେୟା, ଡିଆରଡିଏ ଏପିଡି ଦେବବ୍ରତ ସାହୁ, ଜିଲା ମସତ୍‌ୟ ଅଧିକାରୀ ପ୍ରମୋଦ କୁମାର ରାଉତ, ଡିପିଏମ ଶ୍ୟାମ ସୁନ୍ଦର ତ୍ରିପାଠୀ, ଜିଲା ସମାଜ ମଙ୍ଗଳ ଅଧିକାରୀ ମନୋରମା ରେଡ୍ଡୀ, ଜିଲା ଶିକ୍ଷାଧିକାରୀ ଡ. ସନାତନ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।