Categories: ବାଣିଜ୍ୟ

ମ୍ୟୁଚୁଆଲ ଫଣ୍ଡ ଶିଳ୍ପକୁ ଓଡ଼ିଶାର ଅବଦାନ ବଢୁଛି

ଭୁବନେଶ୍ୱର, ୧୪-୯(ବ୍ୟୁରୋ): ଦେଶର ମ୍ୟୁଚୁଆଲ ଫଣ୍ଡ ଶିଳ୍ପକୁ ଓଡିଶାର ଅବଦାନ ଦ୍ରୁତ ଗତିରେ ବଢୁଛି। ଗୋଟିଏ ବର୍ଷରେ ଏହା ୦.୫୭%ରୁ ବୃଦ୍ଧି ଘଟି ଚଳିତ ବର୍ଷ ଜୁଲାଇ ସୁଦ୍ଧା ଏହା ୦.୮୫%ରେ ପହଞ୍ଚିଛି। ଏହି ସ୍ଥିତି କେବଳ ଓଡ଼ିଶାରେ ସୀମିତ ନ ରହି ସମଗ୍ର ପୂର୍ବାଞ୍ଚଳରେ ଉନ୍ନତ ରହିଛି। ଲୋକମାନେ ମ୍ୟୁଚୁଆଲ ଫଣ୍ଡରେ ସେମାନଙ୍କ ନିବେଶ ରାଶି ବଢାଉଥିବା ଭାରତୀୟ ପ୍ରତିଭୂତି ଏବଂ ବିନିମୟ ବୋର୍ଡ(ସେବି)ର ମୁଖ୍ୟ ମହାପ୍ରବନ୍ଧକ ବିରଞ୍ଚି ନାରାୟଣ ସାହୁ କହିଛନ୍ତି।
ଶିଳ୍ପସଂଘ ଇଣ୍ଡିଆନ ଚାମ୍ବର ଅଫ୍‌ କମର୍ସ (ଆଇସିିସି) ପକ୍ଷରୁ ଚତୁର୍ଥ ରିଟେଲ ସେଭିଂ ଅପରଚୁନିଟି କନକ୍ଲେଭରେ ଅବସରରେ ସେ କହିଛନ୍ତି, ଲୋକମାନେ ନିଜ ସଞ୍ଚୟ ରାଶିକୁ ବିଭିନ୍ନ ସ୍ଥାନରେ ଜମା ରଖିଥିବା ବେଳେ ତାର ମାତ୍ର ୬% ମ୍ୟୁଚୁଆଲ୍‌ ଫଣ୍ଡରେ ରହିଛି। ଆମେରିକା ଭଳି ଦେଶରେ ପ୍ରାୟ ଶତ ପ୍ରତିଶତ ରାଶି ମ୍ୟୁଚୁଆଲ ଫଣ୍ଡରେ ଜମା ହେଉଥିବା ବେଳେ ଭାରତ ଏ କ୍ଷେତ୍ରରେ ବହୁ ପଛରେ ରହିଛି। ମ୍ୟୁଚୁଆଲ ଫଣ୍ଡରେ ଘରୋଇ ସଞ୍ଚୟ ରାଶି ଲାଗି ପର୍ଯ୍ୟାପ୍ତ ସୁଯୋଗ ରହିଥିବା ସେ ଗୁରୁତ୍ୱାରୋପ କରିଛନ୍ତି।
ସେ କହିଛନ୍ତି ଯେ, ଲୋକମାନଙ୍କ ଘରେପଡି ରହିଥିବା ସଞ୍ଚୟ ରାଶିକୁ ମ୍ୟୁଚୁଆଲ ଫଣ୍ଡରେ ନିବେଶ କରିବାର ବିପୁଳ ସୁଯୋଗ ରହିଛି। ଦେଶ ମଧ୍ୟରେ ମୋଟ ଫାଇନାନ୍ସ ଉଦ୍ଦେଶ୍ୟରେ ଘରେ ରଖାଯାଇଥିବା ସଞ୍ଚୟ ରାଶିର ୧୬% ବୀମାରେ, ବ୍ୟାଙ୍କରେ ୩୯%, ଇକ୍ୱିଟି ବଜାରରେ ୨୪%, ଭବିଷ୍ୟନିଧିରେ ୭% ଜମା ହୋଇଛି। ବଳକା ଟଙ୍କାକୁ ଲୋକମାନେ ନଗଦ ଭାବେ ପାଖରେ ରଖୁଛନ୍ତି। ଦେଶର ମୋଟ ଜିଡିପିକୁ ମ୍ୟୁଚୁଆଲ ଫଣ୍ଡ ଶିଳ୍ପର ଅବଦାନ ୧୧% ରହିଛି।
ଦେଶର ମ୍ୟୁଚୁଆଲ ଫଣ୍ଡସଂସ୍ଥାଗୁଡିକର ସେବା ଯୋଗାଣ ଉପରେ ସୂଚନା ଦେଇ ସାହୁ କହିଛନ୍ତି, ବର୍ତ୍ତମାନ ମୋଟ ୪୩ ସଂସ୍ଥା ୯୦୦ରୁ ଅଧିକ ପ୍ରକାରର ସ୍କିମ୍‌ରେ ସେବା ଯୋଗାଉଛନ୍ତି। ଇକ୍ୱିଟି, ଡେଟ୍‌, ବଣ୍ଡ, ଏବଂ ଇଟିଏଫ୍‌ ବର୍ଗରେ ଏହି ସ୍କିମ୍‌ ସବୁ ରହିଛି। ଗତ ୩ ବର୍ଷରେ ଏହି ଶିଳ୍ପର ପରିଚାଳନା ସମ୍ପତ୍ତି ଦୁଇ ଗୁଣ ବଢି ୨୫ ଲକ୍ଷ କୋଟି ଟଙ୍କା ଛୁଇଁଛି। ଦେଶରେ ୨ କୋଟିରୁ ଅଧିକ ନିବେଶକ ୮ କୋଟିରୁ ଅଧିକ ଫୋଲିଓରେ ନିବେଶ କରିଥିବା ସେ ସ୍ପଷ୍ଟ କରିଛନ୍ତି। କାର୍ଯ୍ୟକ୍ରମ ଅବସରରେ ଭୁବନେଶ୍ୱର ଚାପ୍ଟର ଅଧ୍ୟକ୍ଷ ଶକ୍ତିଧର ସିଂହ, ଆଇସିସି ଜାତୀୟ କମିଟି ସଦସ୍ୟ ସୁଧୀନ ରାୟ ପ୍ରମୁଖ ଉପସ୍ଥିତ ଥିଲେ।

Share