ମ୍ୟୁନିସିପାଲିଟି ଆବର୍ଜନାସ୍ଥଳରେ ମହାପ୍ରସାଦ

ପୁରୀ ଅଫିସ,୪।୧୧ : ପୁରୀ ମ୍ୟୁନିସପାଲିଟି ଆବର୍ଜନାସ୍ଥଳରେ ପଡିଛି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମହାପ୍ରସାଦ। ରେଲେୱ ପର୍ଯ୍ୟଟନ ପରିସର ହବିଷିଆଳି ଶିବିରର ଏଭଳି ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଶିବିରରୁ ବାହାରୁଥିବା ବର୍ଯ୍ୟବସ୍ତୁ ଏକାଠି ରଖିବା ପାଇଁ ପୌର ପ୍ରଶାସନ ପକ୍ଷରୁ ସେଠାରେ ବ୍ୟବସ୍ଥା କରାଯାଇଥିବାବେଳେ ବଳକା ଅବଢାକୁ ଫିଙ୍ଗି ଦିଆଯାଉଥିବା ଦେଖିବାକୁ ମିଳିଛି। ଏନେଇ ଶ୍ରୀଜଗନ୍ନାଥପ୍ରେମୀଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଶିବିର ଦାୟିତ୍ୱରେ ଥିବା ଅଧିକାରୀଙ୍କ ଦାୟିତ୍ୱହୀନତା ବୋଲି ସ୍ଥାନୀୟ ଲୋକେ କହିଛନ୍ତି।
ଜିଲା ପ୍ରଶାସନ ଆନୁକୂଲ୍ୟରେ ନରେନ୍ଦ୍ରକୋଣ, ପୌର କଲ୍ୟାଣମଣ୍ଡପ ଏବଂ ରେଲୱେ ପର୍ଯ୍ୟଟନ ପରିସରରେ ତିଆରି ହୋଇଛି ହବିଷିଆଳି ଶିବିର। ଅପରାହ୍ନରେ ହବିଷିଆଳିଙ୍କ ଲାଗି ମହାପ୍ରସାଦର ବ୍ୟବସ୍ଥା କରାଯାଇଛି। ସନ୍ଧ୍ୟା ୫ଟା ପରେ ହବିଷିଆଳିମାନେ ମହାପ୍ରସାଦନ ସେବନ କରିଥାନ୍ତି। ତେବେ ବଳକା ରହିଯାଉଥିବା ଅବଢା ଡାଲମା ଏବଂ ବେସର ଆଦିକୁ ଆବର୍ଜନାସ୍ଥଳରେ ପକାଇ ଦିଆଯାଉଛି। ଖାଦ୍ୟ ଲାଲସାରେ ଏଥିରେ କୁକୁର ପସି ଏଣେତେଣେ ପକାଉଛନ୍ତି। ଶିବିର ଦାୟିତ୍ୱରେ ରହିଥିବା ଜିଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ ତ୍ରିପାଠୀ କୁହନ୍ତି, ଏ ସମ୍ପର୍କରେ ମୋ ପାଖରେ ଖବର ନାହିଁ। ମୁଁ ରାତି ୧୦ଟା ଠାରୁ ସକାଳ ୬ଟା ପର୍ଯ୍ୟନ୍ତ ଡ୍ୟୁଟି କରୁଛି। ମହାପ୍ରସାଦ ପୌର ପ୍ରଶାସନ ଆବର୍ଜନାସ୍ଥଳରେ ପକାଯିବା ନିହାତି ଭାବେ ନିନ୍ଦନୀୟ। ଏହାର ଯେପରି ପୁନରାବୃତ୍ତି ନ ଘଟିବା ସେଥିପ୍ରତି ଦୃଷ୍ଟି ଦିଆଯିବ। ଏନେଇ ଐତିହ୍ୟ ବିଶାରଦ ସୁରେନ୍ଦ୍ର କୁମାର ମିଶ୍ର କୁହନ୍ତି, ମହାପ୍ରଭ ଶ୍ରୀଜଗନ୍ନାଥଙ୍କ ଉପାସନ ସହିତ ଜଡିତ ମହାପ୍ରସାଦ। ସେଥିଲାଗି ଶ୍ରୀଜଗନ୍ନାଥଙ୍କୁ ଦାରୁବ୍ରହ୍ମ କୁହାଯାଉଥିବା ବେଳେ ମହାପ୍ରସାଦଙ୍କୁ ଅନ୍ନବ୍ରହ୍ମ ବୋଲି କୁହାଯାଏ। ମହାପ୍ରସାଦର ଅବମାନନା ଅର୍ଥ ମହାପ୍ରଭୁଙ୍କ ଅବମାନନା କରିବା ସହିତ ସମାନ। ମହାପ୍ରସାଦକୁ ଅବମାନନା କରିବା ଏକ ଅକ୍ଷମଣୀୟ ଅପରାଧ ବୋଲି ସେ କହିଥିଲେ।

Share