ମୟୁରଭଞ୍ଜରେ ୯ କରୋନା ପଜିଟିଭ୍‌ ଚିହ୍ନଟ: ଆକ୍ରାନ୍ତଙ୍କ ସଂଖ୍ୟା ୯୨ ଛୁଇଁଲା

ବାରିପଦା ଅଫିସ୍‌,୧୧।୬: ମୟୁରଭଞ୍ଜ ଜିଲାରେ ଗୁରୁବାର ୯ ଜଣ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଫଳରେ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୯୨କୁ ବୃ୍‌ଦ୍ଧି ପାଇଛି। ଗୋପବନ୍ଧୁନଗର, ବାଙ୍ଗିରିପୋଷି, ଉଦଳା, ବେତନଟୀ, ମୋରଡା ବ୍ଲକରୁ ଜଣେ ଲେଖାଏ ଆକ୍ରାନ୍ତ ହୋଇଥିବାବେଳେ ଆଉ ୪ ଜଣ ଶୁଳିଆପଦ ବ୍ଲକର ବୋଲି ସୂଚନା ମିଳିଛି। ସେମାନଙ୍କ ମଧ୍ୟରୁ ୮ ଜଣ ରାଜ୍ୟ ବାହାର ଫେରନ୍ତା ହୋଇଥିବାବେଳେ ଜଣେ ଲୋକାଲ କେସ୍‌ ବୋଲି ଜିଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟ ବାହାରୁ ଆସିଥିବା ୭ ଜଣ ପ୍ରଶାସନ ପକ୍ଷରୁ କରାଯାଇଥିବା ଅସ୍ଥାୟୀ ସଙ୍ଗରୋଧ କେନ୍ଦ୍ରରେ ଥିଲେ। ସେହିଭଳି ଜଣେ ଲୋକାଲ୍‌ କେସ୍‌ଙ୍କ କଣ୍ଟାକ୍ଟ ଟ୍ରେସିଂ କରାଯାଉଛି। ପଜିଟିଭ୍‌ ରୋଗୀଙ୍କୁ ବାଙ୍କିଶୋଳସ୍ଥିତ କୋଭିଡ୍‌ ହସ୍ପିଟାଲ ଭର୍ତ୍ତି କରାଯାଇଛି। ସୂଚନାଯୋଗ୍ୟ, ଜିଲାରେ ୯୨ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୨୨ ଜଣ ସୁସ୍ଥ ହୋଇଥିବାବେଳେ ୭୦ ଜଣ ସକ୍ରିୟ ଅଛନ୍ତି।

Share