ମୟୂରଭଞ୍ଜରେ କୋଭିଡ଼ ହସ୍ପିିଟାଲ

ବାରିପଦା ଅଫିସ, ୧୫ା୪: କରୋନା ଆକ୍ରାନ୍ତଙ୍କ ପାଇଁ ମୟୂରଭଞ୍ଜ ଜିଲାରେ କୋଭିଡ଼ -୧୯ ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇଛି। ବାରିପଦାଠାରୁ ୭ କି.ମି ଦୂର ବାଙ୍କିଶୋଳଠାରେ ଥିବା ଆଦାନୀ କିସ୍‌ ଆବସିକ ବିଦ୍ୟାଳୟ କ୍ୟାମ୍ପସରେ ଏହା ବୁଧବାର କାର୍ଯ୍ୟକ୍ଷମ ହୋଇଛି। ଭୁବନେଶ୍ୱରଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କନ୍‌ଫରେନ୍ସିଂ ମାଧ୍ୟମରେ ଏହାକୁ ଉଦ୍‌ଘାଟନ କରିଛନ୍ତି। ୨୦୦ ଶଯ୍ୟା ବିଶିଷ୍ଟ ଏହି ହସ୍ପିଟାଲରେ ୧୦ଟି ଆଇସିୟୁ ଓ ୧୦ଟି ଏଚଡ଼ିୟୁ ଶଯ୍ୟା ରହିଥିବା ଜିଲାପାଳ ବିନୀତ ଭରଦ୍ୱାଜ ସୂଚନା ଦେଇଛନ୍ତି। ଏଠାରେ ଓପିଡ଼ି ବ୍ୟବସ୍ଥା ଥିବା ବେଳେ ଜଣେ ବ୍ୟକ୍ତିଙ୍କ ମଧ୍ୟ ସ୍କ୍ରିନିଂ କରାଯାଇପାରିବ ବୋଲି ସୂଚନା ଦିଆଯାଇଛି। ଓଡ଼ିଶା ମାଇନିଂ କର୍ପୋରେଶନର ଆର୍ଥିକ ସହାୟତାରେ ହୋଇଥିବା ଏହି ହସ୍ପିଟାଲର ପରିଚାଳନା ଦାୟିତ୍ୱ ଭୁବନେଶ୍ୱରସ୍ଥିତ କିମସ୍‌କୁ ଦିଆଯାଇଛି। କରୋନା ସଂକ୍ରମିତଙ୍କୁ ଏଠାରେ ମାଗଣାରେ ସମସ୍ତ ପ୍ରକାର ଚିକିତ୍ସା କରାଯିବ ବୋଲି ସୂଚନା ମିଳିିଛି। ପ୍ରଥମ ପର୍ଯ୍ୟାୟରେ ୩ ଜଣ ଅଭିଜ୍ଞ ଡାକ୍ତରଙ୍କ ସହିତ ୫୦ରୁ ଊର୍ଦ୍ଧ୍ୱ ସ୍ବାସ୍ଥ୍ୟକର୍ମୀମାନଙ୍କୁ ନିୟୋଜିତ କରାଯାଇଛି। ଡାକ୍ତର ସୁଧୀର ଶତପଥୀ, ଡାକ୍ତର ମାନସ ପାଣ୍ଡେଙ୍କ ସମେତ ଜିଲାସ୍ତରୀୟ ଅନ୍ୟ ଅଧିକାରୀମାନେ ହସ୍ପିଟାଲ୍‌ କାର୍ଯ୍ୟକ୍ଷମ ବେଳେ ଉପସ୍ଥିତ ଥିଲେ। ଉଲ୍ଲେଖଯୋଗ୍ୟ ଯେ, ଜିଲାରେ ବର୍ତ୍ତମାନ ସୁଦ୍ଧା ଗୋଟିଏ ବି ପଜିଟିଭି କେସ୍‌ ନ ଥିବା ବେଳେ ଏଥିପାଇଁ ଆଗୁଆ ପଦକ୍ଷେପ ନିଆଯାଇଥିବା ଜିଲାପାଳ ଭରଦ୍ୱାଜ ସୂଚନା ଦେଇଛନ୍ତି।

Share