ମୟୂରଭଞ୍ଜର ସବୁ ପ୍ରବେଶ ପଥ ସିଲ୍‌

ବାରିପଦା ଅଫିସ, ୩୧ା୩- କରୋନାର ମୁକାବିଲା ପାଇଁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶକ୍ରମେ ମୟୂରଭଞ୍ଜ ଜିଲାର ସମସ୍ତ ପ୍ରବେଶ ପଥକୁ ବନ୍ଦ କରି ଦିଆଯାଇଛି। ଜିଲାରେ ରହିଯାଇଥିବା ଅନ୍ୟ ରାଜ୍ୟର ଶ୍ରମିକମାନଙ୍କୁ ଲକ୍‌ଡାଉନ ସମୟରେ ବାହାରକୁ ଛଡ଼ାଯିବ ନାହିଁ। ସମସ୍ତଙ୍କୁ ଜିଲା ପ୍ରଶାସନ ତତ୍ତ୍ୱାବଧାନରେ ରଖାଯାଇ ଖାଦ୍ୟ ପ୍ରଦାନ କରାଯିବ ବୋଲି ଜିଲା ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।
ଏହି ପରିପ୍ରେକ୍ଷୀରେ ସୋମବାର ୫୬ ଜଣ ଶ୍ରମିକଙ୍କୁ ସାରସକଣା ବ୍ଲକ ଭୁରୁଆଷୁଣି ପଞ୍ଚାୟତର ଏକ ବିଦ୍ୟାଳୟରେ ରଖାଯାଇଛି। ସେଠାରେ ସେମାନଙ୍କୁ ଶୁଖିଲା ଖାଦ୍ୟ ପ୍ରଦାନ କରାଯାଉଛି। ଲକଡାଉନ ହୋଇଥିବାରୁ ଉକ୍ତ ଶ୍ରମିକମାନେ ମୟୂରଭଞ୍ଜରେ ରହିବେ ଓ ସେମାନେ ସେମାନଙ୍କ ଜିଲା କିମ୍ବା ରାଜ୍ୟକୁ ବର୍ତ୍ତମାନ ଯାଇପାରିବେ ନାହିଁ। ପୂର୍ବରୁ ବାହାରେ ରହିଥିବାର ଯେଉଁ ଶ୍ରମିମାନେ ଜିଲାକୁ ଆସିଛନ୍ତି ସେମାନଙ୍କୁ ୧୪ ଦିନ କ୍ୱାରାଣ୍ଟାଇନରେ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଜିଲାରେ ୩୦୦୦ରୁ ଉର୍ଦ୍ଧ୍ୱ ଶ୍ରମିକ ବର୍ତ୍ତମାନ କ୍ୱାରାଣ୍ଟାଇନରେ ରହିଥିବା ଜଣାପଡ଼ିଛି। ସେହଭିଳି ଜିଲାରେ ଥିବା ସମସ୍ତ ସଂସ୍ଥା ଓ ଦୋକାନ ସେମାନଙ୍କ କର୍ମଚାରୀମାନଙ୍କୁ ଦରମା ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। କୌଣସି ସଂସ୍ଥା କର୍ମାରୀମାନଙ୍କ ଦରମା ନ କାଟିବା ପାଇଁ କୁହାଯାଇଛି। ଯଦି କୌଣସି ଶ୍ରମିକ ଏହାକୁ ଅମାନ୍ୟ କରି ବାହାରକୁ ଯାଆନ୍ତି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଯେଉଁ ଶ୍ରମିକମାନେ ଭଡ଼ା ଘରେ ରହୁଛନ୍ତି ସେମାନଙ୍କୁ ଘର ମାଲିକ ଏକ ମାସର ଭଡ଼ା ଦେବା ପାଇଁ ବାଧ୍ୟ କରିପାରିବେ ନାହିଁ ବୋଲି ଜିଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

Share