Categories: ମେଟ୍ରୋ

ମୟୂରଭଞ୍ଜ ଉତ୍ସବର ଦ୍ୱିତୀୟ ସନ୍ଧ୍ୟା

ଭୁବନେଶ୍ୱର,୨।୨(ବ୍ୟୁରୋ)-  ମୟୂରଭଞ୍ଜ ସାଂସ୍କୃତିକ ସଂସଦ ଆନୁକୂଲ୍ୟରେ ଉତ୍କଳ ମଣ୍ଡପଠାରେ ଚାଲିଥିବା ‘ମୟୂରଭଞ୍ଜ ଉତ୍ସବ-୨୦୨୦’ର ଶନିବାର ଥିଲା ଦ୍ୱିତୀୟ ସନ୍ଧ୍ୟା। ଏହି ଅବସରରେ ଛାଉଣି ଛଉନୃତ୍ୟ ପ୍ରତିଷ୍ଠାନର କଳାକାରମାନେ ଚିତ୍ତାକର୍ଷକ ଛଉନୃତ୍ୟ ପରିବେଷଣ କରିଥିଲେ। ଏହା ପରେ ନାରୀ ସଶକ୍ତୀକରଣ ଉପରେ ଆଧାରିତ ନୃତ୍ୟ ନାଟିକା ‘ଶକ୍ତିମୟୀ’କୁ ପରିବେଷଣ କରିଥିଲେ ବାରିପଦାର ଟ୍ରିପଲ୍‌-ଏ ୱିମେନ୍‌ ୱିଙ୍ଗ୍‌। ସେହିପରି କରଞ୍ଜିଆର ନୃତ୍ୟଶ୍ରୀ ଦଳ କ୍ରିଏଟିଭ୍‌ ଡ୍ୟାନ୍ସ ମାଧ୍ୟମରେ ଦର୍ଶକଙ୍କ ହୃଦୟ ଜିତିଥିଲେ। ପରେ ପରେ ସର୍ବଧର୍ମ ସମନ୍ବୟ ଉପରେ ଆଧାରିତ ‘ଆମେ ସବୁ ଭାଇଭାଇ’ ପରିବେଷଣ ହୋଇଥିଲା। ବାରିପଦାର ଗୁରୁକୁଳ ଡ୍ୟାନ୍ସ ଗ୍ରୁପ୍‌ ଓଡ଼ିଆ କ୍ଲାସିକ୍‌ ଗୀତରେ ମଡନର୍ର୍ କଣ୍ଟେମ୍ପୋରାରି ପରିବେଷଣ କରିଥିଲା। ସେହିଭଳି ଆଦିମ ଆଦିବାସୀ ମହାସଂଘ ଏବଂ କରଞ୍ଜିଆର ଫ୍ଲୋ-ଲେସ୍‌ ଗ୍ରୁପ୍‌ର ନୃତ୍ୟ ଉପସ୍ଥିତ ଦର୍ଶକଙ୍କ ଭରପୂର ମନୋରଞ୍ଜନ କରିଥିଲା। ଏହି ଅବସରରେ କଣ୍ଠଶିଳ୍ପୀ କୁମାର ସାଗର ମନଛୁଆଁ ସଙ୍ଗୀତ ପରିବେଷଣ କରିଥିଲେ। ଓଡ଼ିଆ ଚଳଚ୍ଚିତ୍ର ଜଗତର ହାସ୍ୟ ଅଭିନେତା ପପୁ ପମ୍‌ପମ୍‌ ଦ୍ୱିତୀୟ ସନ୍ଧ୍ୟାର ପ୍ରମୁଖ ଆକର୍ଷଣ ରହିଥିଲେ। ମନୋରଞ୍ଜନଧର୍ମୀ କାର୍ଯ୍ୟକ୍ରମ ସାଙ୍ଗକୁ ଦର୍ଶକ ଏଠାରେ ବାରିପଦାର ଖାସି ମାଂସ, ଦେଶୀ କୁକୁଡା ମାଂସ, ମୁଢ଼ି, କାକରା, ମଣ୍ଡା ପିଠା, ଦଳା ଖେଚୁଡ଼ିର ଭରପୂର ମଜା ନେଇଥିଲେ। ସୁକାନ୍ତ ରଥ କାର୍ଯ୍ୟକ୍ରମ ସଂଯୋଜନା କରିଥିବାବେଳେ ଚିନ୍ମୟ ଦାସ ପଟ୍ଟନାୟକ ଏବଂ ଅଶୋକ କୁମାର ପଣ୍ଡା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Share