ମୟୂରଭଞ୍ଜ ଏମ୍‌ପିଙ୍କୁ ରଥ କର୍ଡନକୁ ନ ଛାଡ଼ିବା ଘଟଣା : ଭିଡିଓ ଭାଇରାଲ୍‌, ତଦନ୍ତ କରିବେ ଏସ୍‌ପି

ବାରିପଦା ଅଫିସ,୮।୭ : ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦା ରଥଯାତ୍ରାକୁ ଶାନ୍ତିଶୃଙ୍ଖଳାରେ ସମାପନ କରିବା ପାଇଁ ଜିଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ଘନ ଘନ ବୈଠକ କରାଯାଇଥିଲା। ମାତ୍ର ଦୁଇ ଦିନ ଧରି ଅନୁଷ୍ଠିତ ହୋଇଥିବା ଏହି ରଥଯାତ୍ରା ଅବ୍ୟବସ୍ଥା ମଧ୍ୟରେ ସରିଛି। ପୋଲିସ ବିଭାଗର ଅଧିକାରୀ ଓ ଜିଲା ପ୍ରଶାସନିକ ଅଧିକାରୀମାନଙ୍କ ମଧ୍ୟରେ ସମନ୍ବୟ ଅଭାବ ଯୋଗୁ ରଥଯାତ୍ରାରେ ଅବ୍ୟବସ୍ଥା ଦେଖାଦେଇଥିବା ଜଣାପଡିଛି। ତେବେ ମୟୂରଭଞ୍ଜ ଏମପି ଇଂ. ବିଶେଶ୍ୱର ଟୁଡୁଙ୍କୁ ରଥଯାତ୍ରା ବେଳେ ରଥ କର୍ଡନକୁ ନ ଛାଡ଼ିିବା ଘଟଣା ରଥଯାତ୍ରା ଅବ୍ୟବସ୍ଥାକୁ ପ୍ରମାଣିତ କରିଛି। ଏହି ଘଟଣା ଜିଲା ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି। ସେହିପରି ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଘଟଣାକୁ ଭାଜପା, ବିଜେଡି ଓ କଂଗ୍ରେସର ନେତୃବୃନ୍ଦ ନାପସନ୍ଦ କରିଛନ୍ତି। ଅନ୍ୟପକ୍ଷେ ରଥ ପାସ୍‌ ଦେବା ଦାୟିତ୍ୱ ଦେବୋତ୍ତର ବିଭାଗର ଏବଂ ଏହି ଘଟଣା କେଉଁ ପରିସ୍ଥିତିରେ ହୋଇଛି ତାହା ତଦନ୍ତ କରିବେ ବୋଲି ଏସପି ଅବିନାଶ କୁମାର କହିଛନ୍ତିି। ତେବେ ଏହା ନିହାତି ଭାବେ ନିନ୍ଦନୀୟ ଘଟଣା। ରଥଯାତ୍ରାକୁ ନେଇ ରାଜନୀତି କରିବା ଠିକ ନୁହେଁ। ତେବେ ଜିଲା ପୋଲିସ ଓ ପ୍ରଶାସନ ରଥଯାତ୍ରାରେ ରାଜନୀତି କରୁଛନ୍ତିି। ଏହି ଘଟଣା ସମ୍ପର୍କରେ ସେ ସଂସଦୀୟ କମିଟିକୁ ଅବଗତ କରିବେ ବୋଲି ଏମପି ଟୁଡୁ ଗଣମାଧ୍ୟମକୁ କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ଶନିବାର ବାରିପଦା ରଥଯାତ୍ରାର ଦ୍ୱିତୀୟ ଦିନ ଥିଲା। ଜଗନ୍ନାଥଙ୍କ ରଥ ବଡଦାଣ୍ଡର କଲେଜ ଛକଠାରେ ପହଞ୍ଚିବା ସମୟରେ ଏମପି ଟୁଡୁ, ବାରିପଦା ବିଧାୟକ ପ୍ରକାଶ ସୋରେନ, ଜିଲା ଭାଜପା ସଭାପତି ଡା.କୃଷ୍ଣଚନ୍ଦ୍ର ମହାପାତ୍ର ଏବଂ ଅନ୍ୟ ଭାଜପା ନେତୃବୃନ୍ଦ ରଥ ଟାଣିବା ପାଇଁ ଆସିଥିଲେ। ମାତ୍ର ଜଣେ ଡିଏସପି ପାହ୍ୟାର ଅଧିକାରୀ ସେମାନଙ୍କୁ ରଥ କର୍ଡନ ଭିତରକୁ ଯିବାକୁ ବାରଣ କରିଥିଲେ। ଯାହାକୁ ନେଇ ସେଠାରେ କିଛି ସମୟ ପାଇଁ ଉତ୍ତେଜନା ଦେଖା ଦେଇଥିଲା। ପରେ ଏମପି ଓ ଅନ୍ୟମାନେ ରଥ ନ ଟାଣି ଫେରି ଯାଇଥିଲେ। ତେବେ କେବଳ ଏମପି ଓ ଭାଜପା ନେତୃବୃନ୍ଦଙ୍କୁ ନୁହେଁ କିଛି ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ମଧ୍ୟ ଏହି ଡିଏସପି ପାହ୍ୟାର ଅଧିକାରୀ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ଏହି ଘଟଣାକୁ ପୋଲିସ ବିଭାଗ ଓ ପ୍ରଶାସନ ଗୁରୁତ୍ୱର ସହ ନେବାକୁ ଦାବି ହୋଇଛି।