ମୟୂରଭଞ୍ଜ ଚିତ୍ରକଳା ପ୍ରଦର୍ଶନୀ ସରିଲା

ବାରିପଦା ଅଫିସ,୩୦ା୮- ମୟୂରଭଞ୍ଜ ଫାଉଣ୍ଡେଶନ ପକ୍ଷରୁ ବେଲଗଡିଆ ରାଜ ପ୍ରାସାଦରେ ଅନୁଷ୍ଠିତ ହେଉଥିବା ଚିତ୍ରକଳା ପ୍ରଦର୍ଶନୀ ଉଦଯାପିତ ହୋଇଯାଇଛି। ଉଦ୍‌ଯାପନୀ ଉତ୍ସବରେ ମୟୂରଭଞ୍ଜ ଏମପି ବିଶେଶ୍ୱର ଟୁଡୁ, ସାରସକଣା ବିଧାୟକ ଡା.ବୁଢ଼ାନ ମୁର୍ମୁଙ୍କ ସମେତ ମହାରାଜା ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ, ମହାରାଣୀ ରଶ୍ମି ରାଜ୍ୟଲକ୍ଷ୍ମୀ ଭଞ୍ଜଦେଓ, ରାଜକୁମାରୀ ମୃଣାଳିକା ମଞ୍ଜରୀ ଭଞ୍ଜଦେଓ ଏବଂ ଅକ୍ଷିତା ମଞ୍ଜରୀ ଭଞ୍ଜଦେଓ ପ୍ରମୁଖ ଉପସ୍ଥିତ ଥିଲେ।
ଚିତ୍ରଶିଳ୍ପୀ କଲ୍ୟାଣ ବାରିକଙ୍କ ହୋଲ ଫାଉଣ୍ଡେଶନର ସହାୟତାରେ ଆୟୋଜିତ ଏହି ପ୍ରଦର୍ଶନୀରେ ୧୪୬ କଳାକାରଙ୍କ ୨୨୫ଟି ଚିତ୍ରକଳା, ଭାସ୍କର୍ଯ୍ୟ ଏବଂ ଆର୍ଟ ଇନଷ୍ଟାଲେଶନ ପ୍ରଦର୍ଶିତ ହୋଇଥିଲା। ଏଠାରେ ଚିତ୍ରକଳା କର୍ମଶାଳା ମଧ୍ୟ ଅନୁଷ୍ଠିତ ହୋଇଥିଲା। ଏହା ବ୍ୟତୀତ ମୟୂରଭଞ୍ଜର ମୋକ୍ରା, ବାଉଁଶ ଓ ସବାଇ ଘାସରୁ ପ୍ରସ୍ତୁତ ସାମଗ୍ରୀ ଏବଂ ଟସର ଲୁଗା ଓ ହସ୍ତତନ୍ତ୍ର ସାମଗ୍ରୀ ପ୍ରଦର୍ଶିତ ହୋଇଥିଲା। ସେହିପରି ରୋଟାରୀ କ୍ଲବ ପକ୍ଷରୁ ବିଭୁ ପ୍ରସାଦ ଦାସଙ୍କ ଦ୍ୱାରା ସଂଗୃହୀତ ମୟୂରଭଞ୍ଜର ଗୌରବମୟ ଇତିହାସ ସମ୍ପର୍କିତ ଏକ ଫଟୋ ପ୍ରଦର୍ଶନୀ ଆୟୋଜିତ ହୋଇଥିଲା। ଉଦ୍‌ଯାପନୀ ସନ୍ଧ୍ୟାରେ ବର୍ଷୀୟାନ ଫଟୋଗ୍ରାଫର ପୂର୍ଣ୍ଣଚନ୍ଦ୍ର ବିନ୍ଧାଣି, ସିନେ ତାରକା ଉତ୍ତମ ମହାନ୍ତି, ସାରସ୍ବତ ସାଧକ ଡା. ନିର୍ମଳେନ୍ଦୁ କୁମାର ଦାସ, ନୌସେନାର ବରିଷ୍ଠ ଅଧିକାରୀ ଅଜୟ କୁମାର ପଟ୍ଟନାୟକ, କ୍ରୀଡ଼ାବିତ ତଥା ଚଳଚ୍ଚିତ୍ର ଅଭିନେତା ଅସିତ ପତି, ଓଡ଼ିଶା ମହିଳା ଫୁଟବଲ ଦଳର ପ୍ରତିଷ୍ଠାତା ନନ୍ଦ କିଶୋର ପଟ୍ଟନାୟକ, ଓଡ଼ିିଆ ଚଳଚ୍ଚିତ୍ରର ସଂଳାପ ଲେଖକ ଚିନ୍ମୟ କୁମାର ଦାସଙ୍କୁ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ସେହିପରି ବାଲେଶ୍ୱରର ଚିତ୍ର ତଥା ଭାସ୍କର୍ଯ୍ୟ ଶିଳ୍ପୀ କେଶୁ ଦାସଙ୍କୁ ମଧ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା। ଉଦ୍‌ଯାପନୀ ଉତ୍ସବକୁ ହେମନ୍ତ ସାହା ପରିଚାଳନା କରିଥିଲେ।