ମୟୂରଭଞ୍ଜ ମହୋତ୍ସବ ପାଇଁ କାର୍ନିଭାଲ ଶୋ’

ବାରିପଦା ଅଫିସ,୨୫।୧୧- ମୟୂରଭଞ୍ଜ ଜିଲାର କଳା ଓ ସଂସ୍କୃତି ନିଆରା। ଏହାର ଏକ ସ୍ବତନ୍ତ୍ର ପରିଚୟ ରହିଛି । ଏହିି କଳା ଓ ସଂସ୍କୃତିର ପ୍ରଚାର ପ୍ରସାର ଲାଗି ଅଭିନବ ପ୍ରୟାସ ଭାବେ ଆୟୋଜିତ ହେଉଥିବା ମୟୂରଭଞ୍ଜ ମହୋତ୍ସବ ଜନମାନସରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛି। ଚତୁର୍ଥ ବର୍ଷରେ ପଦାର୍ପଣ କରିଥିବା ଏହି ମହୋତ୍ସବ ମଙ୍ଗଳବାରଠାରୁ ଐତିହାସିକ ଛଉ ପଡିଆରେ ଅନୁଷ୍ଠିତ ହେବ । ଏହି ଅବସରରେ ଜିଲାର ବିଭିନ୍ନ ଅଞ୍ଚଳରୁ ଆସିଥିବା କଳାକାରଙ୍କୁ ନେଇ ସୋମବାର ଆୟୋଜିତ ହୋଇଥିଲା କାର୍ନିଭାଲ ଶୋ’। ଏଥିରେ ସାମିଲ କଳାକାରମାନେ ପାରମ୍ପରିକ ନୃତ୍ୟ ଗୀତର ତାଳେତାଳେ ସ୍ଥାନୀୟ ଜଗନ୍ନାଥ ମନ୍ଦିରଠାରୁ ବାହାରି ଛଉ ପଡିଆ ପର୍ଯ୍ୟନ୍ତ ଶୋଭାଯାତ୍ରାରେ ଆସିଥିଲେ । ସହରବାସୀ ଏଥିରେ ସାମିଲ ହୋଇ ଏହି ସାଂସ୍କୃତିକ ଶୋଭାଯାତ୍ରାରୁ ମଜା ଉଠାଇଥିଲେ।
ମୟୂରଭଞ୍ଜ ଜିଲାପାଳ ବିନୀତ ଭରଦ୍ୱାଜ,ଏସ୍‌ପି ପରମାର ସ୍ମିତ ପୁରୁଷୋତ୍ତମଦାସ ଓ ସିନେ ତାରକା ସ୍ବରାଜ ବାରିକ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ। ମହୋତ୍ସବ ପାଳନ କମିଟିର ଚେୟାରମ୍ୟାନ ଉତ୍ତମ ମହାନ୍ତି, ସଭାପତି ଅସିତ ପତି ଓ ସାଧାରଣ ସମ୍ପାଦକ କଳିଙ୍ଗ କେଶରୀ ଜେନା ପ୍ରମୁଖ ଉପସ୍ଥିତ ଥିଲେ। ମଙ୍ଗଳବାରଠାରୁ ଆରମ୍ଭ ହେଉଥିବା ମହୋତ୍ସବରେ ଓଡ଼ିଆ ସିନେ ତାରକା ବାବୁସାନ, ପପୁ ପମପମ, ସୁରାକ ବାରିକ, ସନମିରା, ଅନିମେଶ ଘୋଷ, ଗାୟକ ଅସୀମା ପଣ୍ଡା, ଦୀପ୍ତିରେଖା, ସ୍ବୟଂ ପାଢୀ ପ୍ରଖୁମ ବହୁ ନାମୀଦାମୀ କଳାକାର କଳା ପ୍ରଦର୍ଶନ କରିବା କାର୍ଯ୍ୟକ୍ରମ ରହିଛି। ଆସନ୍ତା ୨୯ ତାରିଖରେ ଓଡ଼ିଶା ସମେତ ଝାଡ଼ଖଣ୍ଡ, ବିହାର, ପଶ୍ଚିମବଙ୍ଗ ଓ ଆସାମରୁ ଆସିଥିବା ସାନ୍ତାଳୀ ସୁପରଷ୍ଟାର କଳ୍ପନା ହାଁସଦା, ମଧୁସ୍ମିତା ସୋରେନମୁର୍ମ, ମନ୍ତ୍ରୀ ହେମ୍ରମ, ଡୁଗର ଟୁଡୁ, ଲକ୍ଷ୍ମଣ ସୋରେନ ପ୍ରମୁଖ ଯୋଗ ଦେଇ ନୀଳ କଳା ପ୍ରତିଭା ପ୍ରଦର୍ଶନ କରିବେ। ଚଳିତ ବର୍ଷ ମୟୂରଭଞ୍ଜ ଜିଲାର କଳା ଓ ସଂସ୍କୃତି ସହ ଅନ୍ୟ ଜିଲାରୁ ଆସୁଥିବା କଳାକାରଙ୍କ ମଧ୍ୟରେ ଭାବ ବିନିମୟର ବ୍ୟବସ୍ଥା କରାଯାଇଛି । ଏହି ମହୋତ୍ସବରେ ଜିଲାର ପାରମ୍ପରିକ ଖାଦ୍ୟ ମୁଢି ମାଂସ ସହ ଅନ୍ୟ ଖାଦ୍ୟର ମଧ୍ୟ ମଜା ଉଠାଇ ପାରିବେ ଦର୍ଶକ । ପ୍ରତିଦିନ ସା ୫ ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି କମିଟି ପକ୍ଷରୁ ସୂଚନା ଦିଆଯାଇଛି।