ମୟ ହତ୍ୟା ମାମଲା:୧୮ ଅଭିଯୁକ୍ତଙ୍କୁ ମିଳିଲା ଜାମିନ

ବ୍ରହ୍ମପୁର ଅଫିସ,୮ା୧୧-ସଦର ଥାନା ଅନ୍ତର୍ଗତ ଫୁଲଟା ଗ୍ରାମର ମୟ ଓରଫ ମହେଶ୍ୱର ସାସମାଲ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ସନ୍ତୋଷ ସାହୁଙ୍କ ସମେତ ୧୮ ଅଭିଯୁକ୍ତଙ୍କୁ ଜୁନ ୧୯ରେ ଗଞ୍ଜାମ ଜିଲା ଅତିରିକ୍ତ ଜଜ (ଏଡିଜେ)-୧ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ। ପରେ ଅଭିଯୁକ୍ତମାନଙ୍କ ପକ୍ଷରୁ ଆଇନଜୀବୀ ଶିଶିର ପାଢ଼ୀ ହାଇକୋର୍ଟରେ ଜାମିନ ଆବେଦନ କରିଥିଲେ। ଏହାର ଶୁଣାଣି କରି ହାଇକୋର୍ଟ ସମସ୍ତ ୧୮ ଅଭିଯୁକ୍ତଙ୍କୁ ଜାମିନ ଦେବା ପାଇଁ ପୂର୍ବରୁ ଉକ୍ତ ଅଭିଯୁକ୍ତମାନଙ୍କୁ ଦଣ୍ଡିତ କରିଥିବା ଏଡିଜେ-୧ କୋର୍ଟକୁ ନିର୍ଦ୍ଦେଶ କରିଥିଲା। ସେ ଅନୁଯାୟୀ ମୁଦାଲାଙ୍କ ପକ୍ଷରୁ ମକଦ୍ଦମା ଲଢ଼ୁଥିବା ଆଇନଜୀବୀ ଶିଶିର ପାଢ଼ୀ ଉକ୍ତ କୋର୍ଟରେ ହାଇକୋର୍ଟ ଅର୍ଡର ଦାଖଲ କରିଥିଲେ। ଏଡିଜେ-୧ ପ୍ରସନ୍ନ ପଣ୍ଡା ଉକ୍ତ ମାମଲାର ୧୮ ଅଭିଯୁକ୍ତଙ୍କୁ ପ୍ରତ୍ୟେକେ ୩୦ ହଜାର ଟଙ୍କାର ବଣ୍ଡ ଓ ୨ ଜଣ ଜାମିନଦାର ଦେଇ ଜାମିନରେ ଯିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ସମସ୍ତ ଅଭିଯୁକ୍ତଙ୍କ ପକ୍ଷରୁ ଏହା ପ୍ରଦାନ କରାଯାଇଥିବା ବେଳେ ସନ୍ଧ୍ୟାରେ ସେମାନେ ମଣ୍ଡଳ କାରାଗାରରୁ ମୁକୁଳିଥିବା ତାଙ୍କ ଓକିଲ ପାଢ଼ୀ ସୂଚନା ଦେଇଛନ୍ତି।
ପ୍ରକାଶଯେ, ୨୦୦୭ ମେ ୧୨ରେ ଫୁଲଟା ଗ୍ରାମର ମହେଶ୍ୱରଙ୍କୁ ପୂର୍ବଶତ୍ରୁତାକୁ କେନ୍ଦ୍ର କରି ହତ୍ୟା କରାଯାଇଥିଲା। ତାଙ୍କ ସ୍ତ୍ରୀ ଲକ୍ଷ୍ମୀ ଏନେଇ ସଦର ଥାନାରେ ଅଭିଯୋଗ କରିଥିଲେ। ପୋଲିସ ନଂ. ୭୩/୦୭ରେ ଲାଞ୍ଜିପଲ୍ଲୀର ସନ୍ତୋଷ ସାହୁଙ୍କ ସମେତ ତାଙ୍କ ୧୮ ଜଣ ସହଯୋଗୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ପରେ ସେମାନେ ଜାମିନରେ ଛାଡ ପାଇଥିଲେ।
ଘଟଣାର ୧୨ ବର୍ଷ ପରେ ଏଡିଜେ-୧ ସଞ୍ଜୟ କୁମାର ସାହୁଙ୍କ କୋର୍ଟରେ ଜୁନ ୧୯ରେ ଉକ୍ତ ମାମଲାର ଶୁଣାଣି ହୋଇଥିଲା। ପ୍ରମାଣ ମିଳିବାରୁ ଏଡିଜେ ବିଚାରପତି ସମ୍ପୃକ୍ତ ୧୮ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିବା ସହ ମୃତ ମହେଶ୍ୱରଙ୍କ ସ୍ତ୍ରୀ ଲକ୍ଷ୍ମୀଙ୍କୁ ୧ ଲକ୍ଷ ଟଙ୍କା କ୍ଷତିପୂରଣ ଅର୍ଥ ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।