ଯକ୍ଷ୍ମା ଲାଗି ନୂଆ ଟିକା

ସିଡ୍‌ନୀ: ସେଣ୍ଟ୍‌ନାରୀ ଇନ୍‌ଷ୍ଟିଚ୍ୟୁଟ ଏବଂ ସିଡ୍‌ନୀ ୟୁନିଭର୍ସିଟି (ଅଷ୍ଟ୍ରେଲିଆ)ର ଗବେଷକମାନେ ଯକ୍ଷ୍ମାର ସଫଳ ଉପଚାର ଲାଗି ଏକ ପ୍ରକାର ଟିକା ଉଦ୍ଭାବନ କରିଛନ୍ତି। ଏ ସମ୍ପର୍କିତ ତଥ୍ୟ ଦି ଜର୍ନାଲ ଅଫ୍‌ ମେଡିସିନାଲ କେମେଷ୍ଟ୍ରିରେ ପ୍ରକାଶ ପାଇଛି। ବିଶ୍ୱରେ ଏବେ ବର୍ଷକୁ ଯକ୍ଷ୍ମାରେ ୧.୬ ମିଲିଅନ ଲୋକ ମୃତ୍ୟୁବରଣ କରୁଛନ୍ତି। ଏଣୁ ଏହି ଟିକା ନିଶ୍ଚିତ ଭାବେ ଯକ୍ଷ୍ମାଜନିତ ମୃତ୍ୟୁସଂଖ୍ୟା ହ୍ରାସ କରିବାେରେ ସହାୟକ ହୋଇପାରିବ । ଗବେଷକମାନଙ୍କୁ ଏହି ଟିକା ବିକାଶ କରିବା ପାଇଁ ୫ ବର୍ଷ ଲାଗିଛି। ଏହାକୁ ମୂଷା ଶରୀରରେ ପ୍ରଥମେ ପ୍ରୟୋଗ କରାଯିବାପରେ ସଫଳତା ବି ମିଳିଛି। ଯେତେବେଳେ ଏହି ଟିକା ଫୁସ୍‌ଫୁସ୍‌ ମଧ୍ୟକୁ ଯାଉଛି ତାହା ସେଠାରେ ଫୁସଫୁସ୍‌ର କୋଷକୁ ସକ୍ରିୟ କରି ଯକ୍ଷ୍ମା ବ୍ୟାକ୍ଟେରିଆକୁ ପ୍ରତିରୋଧ କରୁଛି। ଏହା ଫୁସଫୁସ୍‌ର ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢାଉଛି। ମୁଖ୍ୟକଥା ହେଉଛି, ପ୍ରଥମରୁ ଯକ୍ଷ୍ମା ଲକ୍ଷଣ ଜଣାପଡିବା ପରେ ଏହି ଟିକାକୁ ପ୍ରୟୋଗ କଲେ ଶୀଘ୍ର ଉପଶମ ହୋଇପାରିବ । ଉକ୍ତ ଟିକାକୁ ନାକରେ ସ୍ପ୍ରେ କରାଯାଇ କିପରି ଯକ୍ଷ୍ମାକୁ ରୋକି ହେବ ସେଥିତ୍ପାଇଁ ନୋଜାଲ ସ୍ପ୍ରେ ବି ପ୍ରସ୍ତୁତ କରାଯାଉଛି । ଏହା ଶୀଘ୍ର ବଜାରରେ ଉପଲବ୍ଧ ହେବ ବୋଲି କହିଛନ୍ତି ଟିମ୍‌ର ମୁଖ୍ୟ ଗବେଷକ ଓ୍ବାରଓ୍ବିକ୍‌ ବ୍ରିଟନ୍‌।

Share