ଭୋପାଳ, ୨୭।୨: ଦେଶରେ ଭିନ୍ନ ଭିନ୍ନ ସମ୍ପ୍ରଦାୟ ମଧ୍ୟରେ ହିଂସା ଜାରି ଥିବାବେଳେ ମଧ୍ୟପ୍ରଦେଶର ଜଣେ ମହିଳା ସରପଞ୍ଚ ମନ୍ଦିରରେ ଆୟୋଜିତ ଏକ ଯଜ୍ଞରେ ଆହୁତି ଦେଇ ସାମ୍ପ୍ରଦାୟିକ ସଦ୍ଭାବର ଊଦାହରଣ ସୃଷ୍ଟି କରିଛନ୍ତି। ସ୍ଥାନୀୟ ସରଗାପୁରର ଟିକମଗଡ଼ ଅଞ୍ଚଳର ପାଲି ଗ୍ରାମ ପଞ୍ଚାୟତର ମହିଳା ସରପଞ୍ଚ ଫାତିମା ବୋନା ଏଭଳି କରିଛନ୍ତି। ଏଠାରେ ଥିବା ହନୁମାନ ମନ୍ଦିରରେ ସାତଦିନ ବ୍ୟାପି ହୋଇଥିବା ଯଜ୍ଞର ଶେଷ ଦିନରେ ଫାତିମା ପୂର୍ଣ୍ଣାହୁତି ଦେଇଛନ୍ତି। ଯଜ୍ଞ ପାଇଁ ଆୟୋଜିତ କଳସ ଶୋଭାଯାତ୍ରାରେ ଫାତିମା ମୁଣ୍ଡରେ କଳସ ଧରି ଗାଁ ସାରା ପରିକ୍ରମା କରିବା ସହିତ ବିଧି ବିଧାନରେ ପ୍ରଭୁ ହନୁମାନଙ୍କ ପୂଜାର୍ଚ୍ଚନା କରିଥିଲେ। ତାଙ୍କ ସହିତ ସ୍ବାମୀ ସଲିମ୍ ଖାଁ ମଧ୍ୟ ଏଭଳି କରିଥିଲେ। ଫାତିମା ନିଜ ସମ୍ପର୍କୀୟଙ୍କୁ ଯଜ୍ଞରେ ଯୋଗଦେବା ପାଇଁ ନିମନ୍ତ୍ରିତ କରିଥିଲେ। ଏବେ ଏହାକୁ ନେଇ ସୋସିଆଲ ମିଡ଼ିଆରେ ଚର୍ଚ୍ଚା ଜାରି ରହିଛି।