ଯନ୍ତାରେ ରହିବା ବର୍ଷେ ପୂରିବ

ଭୁବନେଶ୍ୱର,୨୧ା୧୦ : ସାତକୋଶିଆରେ ବାଘୁଣୀ ‘ସୁନ୍ଦରୀ’ର ଭିବଷ୍ୟତକୁ ନେଇ ନିଶ୍ଚିତ ହୋଇପାରୁନି ବନ ବିଭାଗ। ଗତବର୍ଷ ନଭେମ୍ବର ୫ରୁ ଯନ୍ତାରେ ରହିଛି ବାନ୍ଧବଗଡ଼ର ଏହି ବାଘୁଣୀ। ବର୍ଷେ ବିତିବାକୁ ବସିଲାଣି, କିନ୍ତୁ ସୁନ୍ଦରୀର ଭବିଷ୍ୟତ ଏବେ ବି ଅନ୍ଧାକାରରେ ରହିଛି। କେଉଁଠି ରହିବ ସୁନ୍ଦରୀ। ଜନ୍ତା ଭିତରେ ନା ଜଙ୍ଗଲକୁ ଛଡ଼ାଯିବ, ତାହାର କୌଣସି ନିଷ୍ପତ୍ତି ହୋଇପାରୁ ନାହିଁ। ପୂର୍ବରୁ ବନ ବିଭାଗ କହିଥିଲା, ନିର୍ବାଚନ ପରେ ହିଁ ବାଘୁଣୀ ସୁନ୍ଦରୀ ଏନେ୍‌କ୍ଲାଜରରୁ ମୁକ୍ତ ହେବାର ରାସ୍ତା ବାହାରିବ। ନିର୍ବାଚନ ସରି ସରକାର ଗଠନ ହେଲା, କିନ୍ତୁ ଏଯାଏ ସୁନ୍ଦରୀକୁ ମୁକ୍ତ କରିବାର କୌଣସି ବାଟ ଫିଟିଲାନି। ଜାତୀୟ ବ୍ୟାଘ୍ର ପ୍ରାଧିକରଣ କର୍ତ୍ତୃପକ୍ଷ (ଏନ୍‌ଟିସିଏ) ଏବଂ ଭାରତୀୟ ବନ୍ୟପ୍ରାଣୀ ସଂସ୍ଥାନ(ଡବ୍ଲ୍ୟୁଆଇଆଇ) ସହିତ ବାରମ୍ବାର ଆଲୋଚନା ପରେ ମଧ୍ୟ ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ସୁନ୍ଦରୀକୁ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନେଇପାରୁ ନାହାନ୍ତି। ନିକଟରେ ଏନ୍‌ଟିସିଏର ଟିମ୍‌ ସାତକୋଶିଆ ପରିଦର୍ଶନ କରିଥିଲା। ଆଉ କିଛିଦିନ ପରେ ମଧ୍ୟ ଟିମ୍‌ ପୁଣିଥରେ ସାତକୋଶିଆ ଆସି ବିଭାଗ ସହିତ ଆଲୋଚନା କରିବେ ବୋଲି ସୂଚନା ମିଳିଛି। ଏହାପରେ ବାଘୁଣୀ ସୁନ୍ଦରୀର ଭାଗ୍ୟ ବଦଳିବ ବୋଲି ଆଶା କରାଯାଉଛି।
ସେପଟେ ବିଶେଷଜ୍ଞଙ୍କ କହିବାନୁଯାୟୀ, ଦୀର୍ଘ ମାସ ହେଲା ସେ ଏନକ୍ଲୋଜରରେ ରହିଲାଣି। ନିଶ୍ଚିତ ଭାବେ ତା’ର ବ୍ୟାବହାରିକ ପରିବର୍ତ୍ତନ ଘଟିଥିବ। ତେଣୁ ତାକୁ ଜଙ୍ଗଲରେ ଛାଡ଼ିବା ସମ୍ଭବ ନୁହେଁ। ବିଶେଷଜ୍ଞଙ୍କ ମତାନୁସାରେ, ବାଘୁଣୀ ଘରୋଇ ହୋଇଯାଇଥିବାର ଆଶଙ୍କା ରହିଛି। ବାଘୁଣୀର ହିଂସ୍ର ଆଚରଣରେ ପରିବର୍ତ୍ତନ ଘଟିଥାଇପାରେ। ଶିକାର ଭୁଲିଯିବାର ସମ୍ଭାବନା ରହିଛି। ତାକୁ ବାହାରକୁ ଛାଡ଼ିବା ଉଚିତ ନୁହେଁ ବୋଲି ବିଶେଷଜ୍ଞମାନେ ଦୃଢ଼ୋକ୍ତି ପ୍ରକାଶ କରୁଛନ୍ତି।

ଆଶଙ୍କାରେ ଆନ୍ତଃରାଜ୍ୟ ବ୍ୟାଘ୍ର ସ୍ଥାନାନ୍ତର ପ୍ରକ୍ରିୟା

ରାଜ୍ୟରେ ବ୍ୟାଘ୍ର ବଂଶ ବୃଦ୍ଧି ପାଇଁ ରାଜ୍ୟ ସରକାର ଆନ୍ତଃରାଜ୍ୟ ବ୍ୟାଘ୍ର ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ କରିଥିଲେ। ଏଥିରେ ମଧ୍ୟପ୍ରଦେଶରୁ ୬ ଯୋଡ଼ା ବାଘ ଅଣାଯାଇ ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପରେ ଛଡ଼ା ଯାଇଥାନ୍ତା। ପ୍ରଥମ ପର୍ଯ୍ୟାୟରେ ଗତବର୍ଷ ଜୁଲାଇରେ ‘ମହାବୀର’ ଓ ଅଗଷ୍ଟରେ ‘ସୁନ୍ଦରୀ’କୁ ଆଣି ସାତକୋଶିଆରେ ଛଡ଼ାଗଲା। ଦୁଇ ମହାବଳ ବାଘକୁ ସଫଳତା ସହ ସ୍ଥାନାନ୍ତର କରିବା ପରେ ବନ ବିଭାଗ ଅତ୍ୟନ୍ତ ଉଚ୍ଚଭିଳାଷୀ ହୋଇପଡ଼ିଥିଲା। କିନ୍ତୁ ବନ ବିଭାଗର ସବୁ ସ୍ବପ୍ନ ମାତ୍ର କେଇଟା ଦିନରେ ମରିଯାଇଥିଲା। ପ୍ରଥମେ ‘ସୁନ୍ଦରୀ’ ମଣିଷ ମାରିବା ଅଭିଯୋଗ ଆସିବା ପରେ ତାକୁ ଏନ୍‌କ୍ଲୋଜର ଭିତରେ ରଖାଗଲା। ଏହି ତାତି ଥମି ନ ଥିବା ବେଳେ ‘ମହାବୀର’ର ମୃତ୍ୟୁ ହୋଇଥିଲା। ତେଣୁ ଆଗକୁ ମଧ୍ୟପ୍ରଦେଶ ଜଙ୍ଗଲ ବିଭାଗ ଆନ୍ତଃରାଜ୍ୟ ବ୍ୟାଘ୍ର ସ୍ଥାନାନ୍ତର ପ୍ରକ୍ରିୟା ପାଇଁ ଥିବା ଆଉ ୪ ବାଘ ଦେବେ କି ନାହିଁ, ତାହା ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ରାଜ୍ୟ ସରକାରଙ୍କ ଏହି ପ୍ରକଳ୍ପ ସଫଳ ହୋଇପାରିବ ନାହିଁ ବୋଲି ବିଶେଷଜ୍ଞମାନେ ମତପ୍ରକାଶ କରୁଛନ୍ତି।

ଅସମାପିକା ସାହୁ

Share