ଯନ୍ତ୍ରଣା ସହି ନପାରି ମାତ୍ର ୧୭ ବର୍ଷ ବୟସରେ ନାବାଳିକା ବାଛିନେଲେ ‘ଇଛାମୃତ୍ୟୁ’

ଆମଷ୍ଟରଡମ୍‌,୫।୬: ମାନସିକ ଯନ୍ତ୍ରଣା ଓ ଡିପ୍ରେସନରୁ ବାହାରି ନ ପାରି ଶେଷରେ ‘ଇଛାମୃତ୍ୟୁ’ ଦ୍ୱାରା ନାବାଳିକା ଜଣଙ୍କ ଜୀବନ ହାରିଛନ୍ତି। ଏଭଳି ଅଭାବନୀୟ ଘଟଣା ଘଟିଛି ନେଦରଲ୍ୟାଣ୍ଡ ଅର୍ନହୋମରେ। ଉକ୍ତ ସହରର ୧୭ ବର୍ଷର ଝିଅ ପିିଲାଦିନେ ବଳାତ୍କାରର ଶୀକାର ହୋଇଥିଲେ। ମାତ୍ର ୧୧ବର୍ଷରେ ହିଁ ତାଙ୍କୁ ଯୌନ ଉତ୍ପୀଡନ ଓ ବଳାତ୍କାରର ନିର୍ଯ୍ୟାତନା ସହିବାକୁ ପଡ଼ିଥିଲା। ବର୍ଷ ବର୍ଷ ଧରି ଅକଥନୀୟ ଯନ୍ତ୍ରଣା ସହିବା ପରେ ସେ ଶାରୀରିକ ଓ ମାନସିକ ସମସ୍ୟା ଦେଇ ଗତି କରୁଥିଲେ। ଏହାରି ଭିତରେ ସେ ଡିପ୍ରେସନକୁ ଚାଲିଯାଇଥିଲେ। ଶେଷରେ ସେ ବାଧ୍ୟ ହୋଇ ସରକାରଙ୍କୁ ଇଛାମୃତ୍ୟୁ ପାଇଁ ଆବେଦନ କରିଥିଲେ।  ନିଜ ଘରେ ଚିକିତ୍ସିତ ଅବସ୍ଥାରେ ଡାକ୍ତର ତାଙ୍କୁ ଇଛାମୃତ୍ୟୁ ଦେଇଛନ୍ତି। ଏଭଳି ମାମଲାରେ ସରକାରଙ୍କ ପକ୍ଷରୁ ତିଆରି ହୋଇଥିବା ଇଛାମୃତ୍ୟୁ କମିଟିରୁ ଇଛାମୃତ୍ୟୁ ପାଇଁ ମଞ୍ଜୁରୀ ନେବାକୁ ପଡ଼ିଥାଏ। କିଛି ସମ୍ବେଦନଶୀଳ ପରିସ୍ଥିତିରେ ନେଦରଲ୍ୟାଣ୍ଡ ସରକାର ଇଛାମୃତ୍ୟୁ ପାଇଁ ମଞ୍ଜୁରୀ ଦେଇଥାନ୍ତି ବୋଲି ସୂଚନା ମିଳିଛି। ତେବେ ମୃତ୍ୟୁ ପୂର୍ବରୁ ପୀଡ଼ିତା ଜଣକ ଗୋଟିଏ ବହି ଲେଖିଥିଲେ। ତାଙ୍କ ଆତ୍ମଜୀବନୀ ମୂଳକ ବହିଟିର ନାଁ ହେଉଛି ‘ଉଇନିଙ୍ଗ ଅର୍‌ ଲର୍ଣ୍ଣିଙ୍ଗ’।

Share