ଯନ୍ତ୍ରୀଙ୍କ ଘରୁ ଚୋରି : ଟ୍ୟାକ୍ସି ମାଲିକ ଗିରଫ

ଭୁବନେଶ୍ୱର, ୨।୮(ବ୍ୟୁରୋ) : ନୟାପଲ୍ଲୀ ବେହେରାସାହିରେ ରହୁଥିବା ଜଣେ ନିର୍ବାହୀ ଯନ୍ତ୍ରୀଙ୍କ ଘରୁ ସୁନାଗହଣା ଓ ଟଙ୍କା ଚୋରି ଘଟଣାରେ ପୋଲିସକୁ ସଫଳତା ମିଳିଛି। ଏହି ଘଟଣାରେ ଗୁରୁବାର ଭଦ୍ରକ ଜିଲା କୁଅଁାସ ଗ୍ରାମର ଟ୍ୟାକ୍ସି ମାଲିକ ରୂପେଶ କୁମାର ପ୍ରଧାନ(୩୨)ଙ୍କୁ ଗିରଫ କରାଯାଇଛି। ସେ ନୟାପଲ୍ଲୀ ଥାନା ଅଧୀନ ଆଇଆର୍‌ସି ଭିଲେଜର ପ୍ଲଟ୍‌ ନଂ-ଏନ୍‌-୨/୭୩ରେ ରହୁଥିଲେ। ତାଙ୍କ ନିକଟରୁ ପୋଲିସ ୧୮ଭରି ସୁନା ଗହଣା ସମେତ ଗୋଟିଏ ଲାପ୍‌ଟପ୍‌ ଜବତ କରିଛି। ଏହି ଚୋରିରେ ସମ୍ପୃୃକ୍ତ ଥିବା ଅନ୍ୟ ୨ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି।
ସୂଚନା ଅନୁଯାୟୀ, ନୟାପଲ୍ଲୀ ବେହେରାସାହି ପ୍ଲଟ୍‌ ନଂ-୨୯୨/କ୍ୟୁରେ ମମତା ପାତ୍ର ତାଙ୍କ ସାନ ଝିଅ ସହ ରୁହନ୍ତି। ବଡ଼ ଝିଅ ବାଙ୍ଗାଲୋରରେ ରହୁଥିବାବେଳେ ମମତାଙ୍କ ସ୍ବାମୀ ଅପୂର୍ବ ପାତ୍ର ମୟୂରଭଞ୍ଜ ଜିଲା କରଞ୍ଜିଆରେ ନିର୍ବାହୀ ଯନ୍ତ୍ରୀ ଭାବେ କାମ କରନ୍ତି। ଗତ ଏପ୍ରିଲ ୧୯ରେ ମମତା ଓ ସାନଝିଅ କୌଣସି କାମରେ ବ୍ରହ୍ମପୁରସ୍ଥିତ ତାଙ୍କ ସମ୍ପର୍କୀୟଙ୍କ ଘରକୁ ଯାଇଥିଲେ। ଘରୁ ଗଲାବେଳେ ସେ ଜଣେ ପଡୋଶୀଙ୍କୁ ଚାବିକାଠି ଦେଇଥିଲେ। ହେଲେ ୨୦ ତାରିଖରେ କେହି ତାଙ୍କ ଘର ତାଲା ଖୋଲି ଆଲମିରାରୁ ସୁନା ଅଳଙ୍କାର ଓ ନଗଦ ୨୦ହଜାର ଟଙ୍କା ଚୋରି କରି ଫେରାର ହୋଇଯାଇଥିଲେ। ୨୪ ତାରିଖରେ ମମତା ଘରକୁ ଫେରିବା ପରେ କବାଟ ଓ ଆଲମାରି ଖୋଲା ପଡ଼ିିଥିବା ଦେଖିବାକୁ ପାଇଥିଲେ। ଘରୁ ଚୋରି ହୋଇଥିବା ସେ ଜାଣିବାକୁ ପାଇ ନୟାପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଯାଞ୍ଚ କରିଥିଲେ ମଧ୍ୟ କିଛି ତଥ୍ୟ ମିଳି ନ ଥିଲା। ତଥାପି ପୋଲିସ ଘଟଣାର ତଦନ୍ତ ଜାରି ରଖିଥିଲା।

Share