ଯମ ଅଭିନୟରେ କରୋନା ସଚେତନତା କଲେ କଂସ ଅଭିନେତା ଭୁବନେଶ୍ବର

ବରଗଡ଼ ଅଫିସ,୧୬।୫: କରୋନା(କୋଭିଡ-୧୯) ଭୂତାଣୁ ସଂକ୍ରମଣ ଯୋଗୁ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏହି ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଦେଶବ୍ୟାପୀ ଲକ୍‌ଡାଉନ କଟକଣା ଲାଗୁ ହୋଇଛି। ସେହିପରି ଏହି ସଂକ୍ରମଣକୁ ରୋକିବା ପାଇଁ ନିର୍ଦ୍ଦିଷ୍ଟ ପ୍ରତିଷେଧକ ଔଷଧ ବାହାରି ପାରି ନ ଥିବା ଯୋଗୁ ଏବେ ସଚେତନତା ଏବଂ ସତର୍କତା ହିଁ ଏକମାତ୍ର ମାଧ୍ୟମ ପାଲଟିଛି । ଏହି ଦୃଷ୍ଟିରୁ ସାମାଜିକ ଦୂରତ୍ୱ ଅବଲମ୍ବନ ଏବଂ ମାସ୍କ ପିନ୍ଧିବା ଉପରେ ଯଥେଷ୍ଟ ଗୁରୁତ୍ୱ ଦିଆଯାଉଛି। ତେବେ ଏଭଳି ସଚେତନତା ପାଇଁ ବରଗଡ଼ ଧନୁଯାତ୍ରା ମହୋତ୍ସବ ସମିତିର କଂସ ଅଭିନେତା ଭୁବନେଶ୍ବର ପ୍ରଧାନ ଏବଂ କଳାକାର ଉପଦେଷ୍ଟା ସମନ୍ବୟ କମିଟିର ସହ-ଆବାହକ ଅଶୋକ ବେହେରା ଆଗେଇ ଆସିଛନ୍ତି। ଭୁବନେଶ୍ବର ଯମ ଏବଂ ଅଶୋକ ଚିତ୍ରଗୁପ୍ତ ଚରିତ୍ରରେ ଅଭିନୟକରି ଶନିବାର ବରଗଡ଼ ସହରରେ ସଚେତନତା ସୃଷ୍ଟି କରିଛନ୍ତି। ନିଜ ଦୂତଙ୍କ ସହିତ ସେମାନେ ବରଗଡ଼ ଗାନ୍ଧୀଛକ ନିକଟ କଲ୍ୟାଣ ମଣ୍ଡପରୁ ଏକ ଘୋଡାଗାଡିରେ ବସି ବାହାରି ସହର ପରିକ୍ରମା କରି କରୋନା ମୁକାବିଲା ପାଇଁ ସଚେତନତା ସୃଷ୍ଟି କରିଥିଲେ। ଏଭଳି ଅଭିନବ ସଚେତନତା କାର୍ଯ୍ୟକ୍ରମ ଏଠାରେ ଚର୍ଚ୍ଚାର ବିଷୟ ହୋଇଛି।

Share